ରାଉରକେଲା: ରାଉରକେଲା କଲେଜର ଇତିହାସ ବିଭାଗ ପକ୍ଷରୁ ‘ କନସଲ ଭାବରେ ନେପୋଲିୟନଙ୍କ ସଂସ୍କାରମୂଳକ ପଦକ୍ଷେପ ‘ ସଂପର୍କରେ ଆଲୋଚନାଚକ୍ର ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷା ତଥା ବିଭାଗୀୟ ମୁଖ୍ୟ ପ୍ରଫେସର ସୁଜାତା ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଆଲୋଚନାଚକ୍ରରେ ଓଡିଆ ବିଭାଗର ବରିଷ୍ଠ ଅଧ୍ୟାପକ କରୁଣାକର ପାଟ୍ଟଶାଣୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ନେପୋଲିୟନଙ୍କ ନେତୃତ୍ଵ ଓ କ୍ଷମତା ସଂପର୍କରେ ଆଲୋଚନା କରିଥିଲେ। ବିକାଶ ଧନୱାରଙ୍କ ମଂଚ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଅତିଥି ଭାବେ ଇତିହାସ ବିଭାଗର ବରିଷ୍ଠ ଅଧ୍ୟାପକ ତରଣୀ ନାୟକ, ଅଧ୍ୟାପିକା ସ୍ବାତିସ୍ମିତା ସାହୁ ଓ ଅଧ୍ୟାପିକା ଭାନୁମତି ସାହୁ ପ୍ରମୁଖ ନେପୋଲିୟନଙ୍କ ସଂସ୍କାରମୂଳକ ପଦକ୍ଷେପ ଓ ଜୀବନୀ ସଂପର୍କରେ ଆଲୋଚନା କରିଥିଲେ। ସମସ୍ତ ଅତିଥି ଗଣ ତାଙ୍କ ବକ୍ତବ୍ଯରେ କହିଲେ ଯେ ନେପୋଲିୟନ ବୋନାପାର୍ଟ ଜଣେ ଦକ୍ଷ ସେନାପତି ହେବା ସହ ଜଣେ ଶୃଙ୍ଖଳିତ, ଧୈର୍ଯ୍ୟ, ସହନଶୀଳତାର ବ୍ୟକ୍ତିତ୍ବ ଥିଲେ। ଜଣେ ସୈନିକ ଭାବେ ଜୀବନ ଆରମ୍ଭ କରି ସେ କନସଲ ଭାବେ ଶ୍ରେଷ୍ଠ ପରାକାଷ୍ଠା ଦେଖାଇ ଯାଇଛନ୍ତି। ସେ କନସଲ ଭାବେ ଫ୍ରାନ୍ସରେ ବିପ୍ଳବ ସମୟରେ ବିଶୃଙ୍ଖଳା ଓ ଅବସ୍ଥିତି ତଥା ଦୁର୍ନୀତି ଶାସନର ଅନ୍ତ ଘଟାଇ ଦେଶରେ ସ୍ଥିରତା ଓ ପ୍ରଗତିର ଏକ ନୂତନ ଅଧ୍ୟାୟ ଆରମ୍ଭ କରିଥିଲେ। ଏହା ସହ ବୈଦେଶିକ ନୀତି, ବିଭିନ୍ନ ସଫଳତା ଓ ବିଫଳତା ସଂପର୍କରେ ଆଲୋଚନା କରାଯାଇଥିଲା । ଏହି ଅବସରରେ ସୁଶ୍ରୀ ଅଞ୍ଜନା ସୁରିନ ଓ ସୁଶ୍ରୀ ପିଙ୍କି ନାୟକ ଆଲୋଚ୍ୟ ବିଷୟ ସଂପର୍କରେ ପ୍ରବନ୍ଧ ପାଠ କରିଥିବାବେଳେ ସୁଶ୍ରୀ କୌଶଲ୍ଯା ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଆଲୋଚନାଚକ୍ର ପରିଚାଳନାରେ ସର୍ବଶ୍ରୀ ସୁରଜ ନାୟକ, ସୀମା ବିଭାର, ବିକାଶ ରଂଜନ ମଣ୍ଡଳ,ସାକିନା ବାନୋ,ମଧୁସ୍ମିତା ଓଝା, ଅତିପା ପରୱିନ,ସୁମିତ ଚୌହାନ ପ୍ରମୁଖ ସହଯୋଗ କରିଥିଲେ।