ପୁରୀ: କୃଷ୍ଣମୟ ହେଲା ସାରା ଦେଶ। ଜନ୍ମାଷ୍ଟମୀରେ ଭକ୍ତିଭାବରେ ବୁଡିଲା ସାରା ବିଶ୍ଵ । ଶୁକ୍ରବାର ରାତିରେ ବିଭିନ୍ନ କୃଷ୍ଣ ମନ୍ଦିରରେ ଜନ୍ମାଷ୍ଟମୀ ପାଳିତ ହୋଇଛି । ଏଥିପାଇଁ ମନ୍ଦିର ଗୁଡିକରେ ସ୍ଵତନ୍ତ୍ର ନୀତିକାନ୍ତି କରାଯାଇଥିଲା । ଦେଶର ସବୁ ମନ୍ଦିରରେ ରାତି ସାରା ଲାଗିଥିଲା ଭକ୍ତଙ୍କ ଭିଡ । ଭଜନ କୀର୍ତ୍ତନ ସାଙ୍ଗକୁ ମନ୍ଦିର ଗୁଡିକରେ ସୃଷ୍ଟି ହୋଇଥିଲା ଆଧ୍ୟାତ୍ମିକ ପରିବେଶ । ମଥୁରା ଏବଂ ବୃନ୍ଦାବନରେ ହୋଇଥିଲା ସ୍ଵତନ୍ତ୍ର ଆୟୋଜନ । ସେପଟେ ଶ୍ରୀମନ୍ଦିରରେ ଆଜି ପାଳିତ ହେବ ନନ୍ଦୋତ୍ସବ ନୀତି । ମଧ୍ୟରାତ୍ରିରେ ଶ୍ରୀକୃଷ୍ଣଙ୍କ ଧରାବତାରଣ ପରେ ଆଜି ଶ୍ରୀମନ୍ଦିରରେ ପାଳିତ ହେବ ନନ୍ଦୋତ୍ସବ ନୀତି । ସନ୍ଧ୍ୟାଆଳତୀ ସରିବାପରେ ମହାଜନ ସେବାୟତମାନେ ରାମକୃଷ୍ଣ ଓ ଦକ୍ଷିଣଘରୁ ମଦନମୋହନଙ୍କୁ ଜଗମୋହନ ଦୋଳିରେ ବିଜେ କରାଇବେ। ମଇଲମ ଓ ଅନ୍ୟାନ୍ୟ ନୀତି ସରିବା ପରେ ପ୍ରଭୁ ଶ୍ରୀଜଗନ୍ନାଥ ଓ ଦେବୀ ସୁଭଦ୍ରାଙ୍କ ନିକଟରେ ଷଠି ଓ ମାର୍କଣ୍ଡି ପୂଜା ହେବ। ମଙ୍ଗଳାର୍ପଣ ଓ ବନ୍ଦାପନା ନୀତି ପରେ ଭଣ୍ଡାରଘରୁ ଦେବୀ ଦୁର୍ଗାଙ୍କୁ ପତିମହାପାତ୍ର ବିଜେ କରାଇବେ । ପରେ ଦୋଳିରେ ବସିଥିବା ରାମକୃଷ୍ଣ ଏବଂ ମଦନମୋହନଙ୍କୁ ଓଲ୍ହାଇ ଆଣି ଖଟ ଉପରେ ବିଜେ କରାଇବେ । ଭିତରଚ୍ଛ ମହାପାତ୍ର ନନ୍ଦରାଜା ରୂପରେ ଶ୍ରୀନହରକୁ ଯାଇ ଫେରିବା ପରେ ସ୍ନାନମଣ୍ଡପ ଉପରେ ବସିବେ । ଭରତିଆ ଗୌଡ଼ ପୁତ୍ର ଜନ୍ମ ହେବା ଖବର ନନ୍ଦରାଜାଙ୍କୁ ଦେବାର ପରମ୍ପରା ରହିଛି