ଆସନ୍ତାକାଲିଠାରୁ ସମସ୍ତ ରୁଟରେ ଗଡିବ ‘ମୋ ବସ’

ଭୁବନେଶ୍ୱର– ଆସନ୍ତା ସୋମବାରରୁ ସମସ୍ତ ରୁଟରେ ଗଡିବ ମୋ ବସ । ସକାଳ ୭ଟାରୁ ସନ୍ଧ୍ୟା ୭ ଟା ପର୍ଯ୍ୟନ୍ତ ଏହି ସୁବିଧା ମିଳିବ ।ସପ୍ତାହାନ୍ତ ସଟ୍ଡାଉନ୍ରେ କେବଳ ରେଳ ଷ୍ଟେସନ୍ ଓ ବିମାନ ବନ୍ଦରକୁ ଛାଡ଼ି ଦେଲେ ଅନ୍ୟ ସମସ୍ତ ରୁଟ୍ରେ ମୋ ବସ୍ ସେବା ବନ୍ଦ ରହିବ । ବସ୍ରେ ଯାତ୍ରା ବେଳେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ବୋଲି କ୍ରୁଟ୍ର ପ୍ରବନ୍ଧକ ଦୀପ୍ତି ମହାପାତ୍ର କହିଛନ୍ତି । କରୋନା କଟକଣା କୋହଳ ହେବାପରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ସମସ୍ତ ୨୫ଟି ରୁଟ୍ରେ ୧୯୪ଟି ବସ୍ ଚଳାଚଳ କରିବ ।

ରାଜ୍ୟ ବାହାରୁ ଆସୁଥିବା ଲୋକଙ୍କ ସୁବିଧା ପାଇଁ ଶନିବାର ଓ ରବିବାର ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ବିମାନ ବନ୍ଦର ଓ ରେଳ ଷ୍ଟେସନରୁ କଟକ ଏବଂ ଭୁବନେଶ୍ୱର ଆସୁଥିବା ଯାତ୍ରୀମାନଙ୍କୁ ଏହି ସ୍ୱତନ୍ତ୍ର ସଟଲ ବସ୍ ସେବା ଯୋଗାଇ ଦିଆଯିବ । ବସ୍ରେ ଯାତ୍ରା ସମୟରେ କୌଣସି ଯାତ୍ରୀ ଛିଡା ହୋଇଯିବେନି । ଯେତିକି ସିଟ୍ ସେତିକି ଲୋକ ବସାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହିତ ଯାତ୍ରୀମାନେ ନିଜ ପାଖରେ ସାନିଟାଇଜର୍ ରଖିବାକୁ ପରାମର୍ଶ ଦିଆଯାଇଛି । ଉଲ୍ଲେଖଯୋଗ୍ୟ, ଭୁବନେଶ୍ବର, କଟକ ଓ ଖୋର୍ଦ୍ଧା ସମେତ ପୁରୀକୁ ‘ମୋ ବସ୍’ ଚାଲୁଛି। ମାଷ୍ଟରକ୍ୟାଣ୍ଟିନ୍ରୁ କେବଳ ପୁରୀକୁ ୫ଟି ବସ୍ ଚାଲୁଥିବା ବେଳେ ବରମୁଣ୍ଡାରୁ ଦୁଇଟି ଚାଲୁଛି। ମାଷ୍ଟର କ୍ୟାଣ୍ଟିନ୍ରୁ କୋଣାର୍କକୁ ୪ଟି ବସ୍ ଚାଲୁଥିବା ବେଳେ ପିପିଲିକୁ ୪ଟି ବସ୍ ଚାଲୁଛି।