୪୦ ଟଙ୍କା ବାଜି ଜିତି ସବୁଦିନ ପାଇଁ ହାରିଗଲେ ଶାମା ସିଜୋଇ

(ସୌମ୍ୟ ରଂଜନ ସେଠୀ) : ଆପଣ ଶୁଣିଥିବେ ନିଶ୍ଚୟ ଝିମିଟି ଖେଳରୁ ମହାଭାରତ, ପୁଣି ସେମିତି ଏକ ଘଟଣା ନଜରକୁ ଆସିଛି ମାତ୍ର ୪୦ ଟଙ୍କା ପାଇଁ ହତ୍ୟାକାଣ୍ଡ। ମୟୁରଭଂଜ ଜିଲ୍ଲା କପ୍ତିପଦା ଥାନା ବିଦ୍ୟାଧର ନଗର ପଠାଣପକ୍କା ଗାଁରୁ ଆସିଛି ଏଭଳି ଅଭିଯୋଗ। ମୃତକ ହେଲେ ଶାମା ସିଜୋଇ। ଗତ ୧୭ ତାରିଖରେ ସେ ହାଟକୁ ବ୍ୟବସାୟ ପାଇଁ ଆସିଥିଲେ। ତା ପରଠାରୁ ସେ ଘରକୁ ଫେରିନଥିଲେ। ଏହାକୁ ନେଇ ଶାମାଙ୍କ ପରିବାର ଥାନାରେ ଏତଲା ଦେଇଥିଲେ। ପୁଲିସ ତଦନ୍ତ ବେଳେ ଶାମାକୁ ତାର ସାଙ୍ଗମାନେ ହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

ସୂଚନା ଅନୁସାରେ ଶାମା ସିଜୋଇ (୩୫) ଗାଁ ମୁଣ୍ଡରେ ଏକ ଛୋଟ ଅଣ୍ଡା ଓ ବ୍ରଏଲର କୁକୁଡା ଦୋକାନ ଦେଇଥିଲେ। ଗତ ସେପ୍ଟେମ୍ବର ୧୭ରେ ରାତିରେ ଗାଁର ସୁରେନ୍ଦ୍ର ପାତ୍ର, ନିଧିଆ ହେମ୍ବ୍ରମ ଓ ଶିରକା ହେମ୍ବ୍ରମଙ୍କ ସହିତ ତାସ ଖେଳିଥିଲେ। ତାସ ଖେଳରେ ସାମା ସିଜୋଇ ୪୦ ଟଙ୍କା ଜିତିଥିଲେ। ମାତ୍ର ଏହି ଖେଳରେ ଅନ୍ୟ ୩ ଜଣ ହାରିଥିବା ଟଙ୍କା ପୁଣି ଥରେ ମାଗିଥିଲେ କିନ୍ତୁ ଶାମା ଏହାକୁ ଦେଇ ନଥିଲେ। ଫଳରେ ଉତ୍ତ୍ୟକ୍ତ ସୁରେନ୍ଦ୍ର, ନିଧିଆ ଓ ଶିରକା ଲୁହା ଚେନରେ ପିଟିପିଟି ମାରି ଦେଇଥିଲେ। ପରେ ଜଙ୍ଗଲ ଭିତରେ ପୋତି ଦେଇଥିଲେ। ପୁଲିସ ମୁଖ୍ୟ ଅଭିଯୁକ୍ତ ସୁରେନ୍ଦ୍ରକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି। ଏହାସହ ହତ୍ୟାପରେ ଶାମାକୁ ପୋତାଯାଇଥିବା ଜଙ୍ଗଲକୁ ଯାଇ ଶବ ଉଦ୍ଧାର କରିଛି ପୁଲିସ।