୧୪୯ବର୍ଷରେ ପଂହଚିଲା ଧର୍ମଶାଳାର ମୁନସୀ ମେଲଣ…

ବ୍ରିଟିଶ ଶାସନ କାଳରେ ଭାରତୀୟମାନଙ୍କୁ ବହୁ ଅତ୍ୟାଚାରର ଶୀକାର ହେବାକୁ ପଡିଥିଲା । ଭାରତୀୟମାନଙ୍କ ଘୃଣା ଚକ୍ଷୁରେ ଦେଖୁଥିଲେ ବ୍ରିଟିଶମାନେ । ଭାରତୀୟ ପରମ୍ପରା ପ୍ରତି ପ୍ରବଳ ଘୃଣାଭାବ ଥିଲା । ଏହା କିଛି ନୁଆ କଥା ନୁହେଁ । ସମସ୍ତେ ସମାନ ନ ଥିଲେ । ସେମାନଙ୍କ ମଧ୍ୟରୁ କିଛି ଭାରତୀୟ ପରମ୍ପରାକୁ ଅତ୍ୟନ୍ତ ଭାବେ ଭଲ ପାଉଥିଲେ । ମାତ୍ର ଏମିତି ବି ପରମ୍ପରା ଅଛି ଯେଉଁଠି ବ୍ରିଟିଶ ପୁଲିସର ଭାରତୀୟ ପ୍ରୀତିର ଝଲକ ଦେଖିବାକୁ ମିଳିଥିଲା । ଯାଜପୁର ଧର୍ମଶାଳା ମୁନସୀ ମେଲଣ ଏହାର ନିଦର୍ଶନ ଦେଖିବାକୁ ମିଳିଥାଏ । ଏହି ମେଲଣ ଆଜି ବି କହୁଛି ସେଦିନର କଥା । ସର୍ବଦା ଶାନ୍ତି ଶୃଙ୍ଖଳାର ରକ୍ଷକ ସାଜୁଥିବା ପୁଲିସ ଏଠି ପରମ୍ପରରା ରକ୍ଷକ ସାଜିଛି । କେବଳ ଚୋର,ଡକାୟତ ,ଗୁଣ୍ଡା ବଦମାସଙ୍କ ସହିତ ପୁଲିସର କାମ ନାହିଁ ବୋଲି ସେ ଦିନ ବୁଝାଇ ଦେଇଥିଲା ବ୍ରିିଟିଶ ପୁଲିସ । ଆରମ୍ଭ କରି ଦେଇଥିଲା ଓଡିଆଙ୍କ ପ୍ରୀୟ ଦୋଳ ମେଲଣ ।  ସାହିତ୍ୟ,ସଂସ୍କୃତି ଓ ପରମ୍ପରାର ପୂଜାରୀ ହେଉଛନ୍ତି ଧର୍ମଶାଳାବାସୀ । କେବେ ବି ଭୁଲି ନାହାନ୍ତି ଅତୀତର ଐତିହ୍ୟ ଓ ପରମ୍ପରାକୁ । ଏଠାରେ ବିଭିନ୍ନ ସମ୍ପ୍ରଦାୟର ଲୋକ ବସବାସ କରୁଥିଲେ ମଧ୍ୟ ଦୋଳ ପର୍ବ ଏକ ସାର୍ବଜନୀନ ପର୍ବଭାବେ ପାଳନ କରାଯାଇଥାଏ । ଏ ଅଂଚଳ ଦୋଳ ପର୍ବ କହିଲେ ମୁଖ୍ୟତଃ ମୁନସୀ ମେଲଣକୁ ହିଁ ବୁଝାଏ ।

ଚଳିତ ବର୍ଷ ଏହି ମୁନସୀ ମେଲଣକୁ ପୁରିଛି ୧୪୯ ବର୍ଷ । ଆଜକୁ ୧୪୯ବଷ ତଳେ ଧର୍ମଶାଳା ଥାନାରେ ଥିବା ମୁନସୀ ବାବୁ ଦୟାନିଧି ମଲିିକଙ୍କ ଦ୍ୱାରା ଆରମ୍ଭ ହୋଇଥିଲା ଏହି ମେଲଣ । ସେହି ବ୍ରିଟିଶ କାଳରୁ ଆଜି ପର୍ଯ୍ୟନ୍ତ ପାଳିତ ହୋଇ ଆସୁଛି ଏହି ମୁନସୀ ମେଲଣ ।  ସେହିଦିନଠାରୁ ଆଜି ପର୍ଯ୍ୟନ୍ତ ଧର୍ମଶାଳା ଥାନାର ଭାରପ୍ରାପ୍ତ ଅଧିକାରୀଙ୍କୁ ଏହି ମେଲଣର ସର୍ବେସର୍ବା ତଥା ମୁଖ୍ୟ ପୁରୋଧାଭାବେ ବିବେଚନା କରାଯାଏ । ଗତ କାଲିଠାରୁ ଧର୍ମଶାଳା ଥ୍‌ାନା ପରିସରରେ ଗଢି ଉଠି ଜନସାଧାରଣ ଓ ପୁଲିସ ମଧ୍ୟରେ ମଧୁର ସମ୍ପର୍କ । ଯାହାକି ଏହି ପରମ୍ପରା ୧୪୯ ବର୍ଷ ବୟସରେ ପାଦ ଥାପିଛି । ଗତ କାଲିଠାରୁ ଧର୍ମଶାଳା ମେଲଣ ପଡିଆରେ ବାରି ହୋଇ ପଡୁଛି ହସଖୁସିର ସମ୍ପର୍କ । ଉତ୍ସବ ମୁଖର ହୋଇ ପଡିଛି ଧର୍ମଶାଳା । ଏହି ଦିନରେ ଲୋକେ ପୁଲିସ ବାବୁ ପଣିଆକୁ ଭୁଲି ଯାଆନ୍ତି । ପୁଲିସ ମଧ୍ୟ ନିଜର କଟକଣାକୁ ଭୁଲିଯାଇଥାଏ । ସ୍ଥାନୀୟ ଅଂଚଳର ଛୋଟବଡ ବିମାନଙ୍କୁ ଏଠାକୁ ଫଗୁ  ଖେଳିବାକୁ ନିମନ୍ତ୍ରଣ କରାଯାଏ । ଚଳିତ ବର୍ଷ ୫୦ରୁ ଉର୍ଦ୍ଧ ବିମାନ ଯୋଗ ଦେଇ ଫଗୁ ଖେଳିଛନ୍ତି । ବିମାନ ନିକଟରେ କେବଳ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ଏବଂ ସ୍ଥାନୀୟ ଅଂଚଳର ହଜାରହଜାର ଲୋକଙ୍କ ସମାଗମ ଦେଖିବାକୁ ମିଳିଥିଲା । ଏବଂ ବିଭିନ୍ନ କିସମର ଦୋଳି ସାଂଗକୁ ମୀନାବଜାର ଷ୍ଟଲ । ଲୋକଙ୍କ ନାହିଁ ନ ଥିବା ଭିଡ । ଶେଷରେ ବିମାନଙ୍କ ନିକଟରେ ଭୋଗ ଲାଗି କରାଯିବା ପରେ ସେମାନଙ୍କୁ ବିଦାୟ ଦିଆଯାଇ ଥିଲା । ଚଳିତ ବର୍ଷ ଶାନ୍ତି ଶୃଙ୍ଖଳାର ମୁନସୀ ମେଲଣ ସମାପନ ହୋଇଛି । ତେବେ ଅପେକ୍ଷା ଆର ବର୍ଷକୁ ।