ଲୋକଙ୍କ ଜୀବନ ସହ ଖେଳି ସାଂସଦଙ୍କୁ ମିଳେ ଖୁସି

ଭୁବନେଶ୍ୱର: ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ବହୁ ଆଶା ନେଇ ବିଜେଡି ଗଡରେ ଅପରାଜିତାଙ୍କୁ ବିଜୟର ଟିକା ପିନ୍ଧାଇଥିଲେ ଜନତା । ଅପରାଜିତା ରାଜଧାନୀରେ ଆଣିବେ ଉନ୍ନତି । ଦୁର୍ନୀତିର କରିବେ ପର୍ଦ୍ଦାଫାସ । ଏମିତି ଅନେକ ଆଶା ଆକାକ୍ଷା ଥିଲା ଲୋକଙ୍କ ମନରେ । ତେଣୁ ଭୁବନେଶ୍ୱରର ବିଧାନସଭା ନିର୍ବାଚନରେ ବିଜେଡିକୁ ଅଯାଚିତ ସମର୍ଥନ ମିଳିଥିଲେ ମଧ୍ୟ ଲୋକସଭା ଆସନରେ ଅପରାଜିତାଙ୍କୁ ମିଳିଥିଲା ବିଜୟ । ପ୍ରଶାସନିକ ଅଧିକାରୀ ଭାବେ ଅପରାଜିତାଙ୍କ ଦୃଷ୍ଟାନ୍ତମୂଳକ ପଦକ୍ଷେପକୁ ଆଖିରେ ରଖି ରାଜନୀତିରେ ଲୋକଙ୍କର ଥିଲା ବଡଆଶା । ନିର୍ବାଚନକୁ ଦେଢ ବର୍ଷ ବିତି ଗଲାଣି । ଏହା ମଧ୍ୟରେ ଲୋକଙ୍କ ସବୁ ଆଶା ନିରାଶା ରେ ପରିଣତ ହେଲାଣି ।
ଏହି ଦେଢ ବର୍ଷ ଭିତରେ ରାଜନୀତିରେ ଅପରାଜିତା ସେପରି କୌଣସି କାର୍ଯ୍ୟ କରି ନାହାନ୍ତି । ଜଣେ ଜନପ୍ରତିନିଧି ହୋଇଥିବାରୁ ସେ ଅନେକଙ୍କ ଆଦର୍ଶ । କିନ୍ତୁ ନିୟମ ଉଲ୍ଲଙ୍ଘନରେ ସେ ପାଲଟିଛନ୍ତି ଉଦାହରଣ । ବର୍ତ୍ତମାନର କୋଭିଡ ସମୟରେ ଲୋକଙ୍କୁ ସଚେତନ କରିବାକୁ, ସାମାଜିକ ଦୂରତ୍ୱ, ମାସ୍କ ପରିଧାନକୁ ବାଧ୍ୟତାମୂଳକ କରିବାକୁ କୋଭିଡ ପାଣ୍ଡାମିକ ଆଇନର ପ୍ରଣୟନ କଲେ ସରକାର । କିନ୍ତୁ ଅପରାଜିତା ଯେଉଁଠିକୁ ଗଲେ ସେଠି ଏହି ନିୟମର ଉଲ୍ଲଙ୍ଘନ କଲେ । କିଛି ଦିନ ତଳେ ଦିଲ୍ଲୀରୁ ଅପରାଜିତା ଭୁବନେଶ୍ୱରରେ ପହଞ୍ଚିବା ପରେ ଦେଖାଦେଇଥିଲା ପ୍ରବଳ ଭିଡ । ତାଙ୍କୁ ସ୍ୱାଗତ କରିବାକୁ ଯାଇ ସମର୍ଥକ ମାନି ନ ଥିଲେ ନିୟମ । ସେତିକିରେ ସରିଲାନି, ଗତକାଲି ତାଙ୍କ ଜନ୍ମ ଦିନ ଅବସରରେ ମଧ୍ୟ ସମର୍ଥକଙ୍କ ଗହଣରେ ଅପରାଜିତା ପାଳିଥିଲେ ଜନ୍ମଦିନ ବେଶ ଆଡମ୍ବର ସହ । ସମର୍ଥକଙ୍କ ମଧ୍ୟରେ ନା ଥିଲା ସାମାଜିକ ଦୂରତ୍ୱ ନା ମୁହଁରେ ଥିଲା ମାସ୍କ । ଏହା ପୂର୍ବରୁ ମଧ୍ୟ କୋଭିଡ ନିୟମ ଉଲ୍ଲଙ୍ଘନ କରିବାକୁ ନେଇ ଅପରାଜିତାଙ୍କୁ ହୋଇଥିଲା ଜରିମାନା । କିନ୍ତୁ ସବୁ ନିୟମକୁ ଫୁ କରି ଉଡେଇବାରେ ଯେମିତି ତାଙ୍କୁ ମିଳୁଛି ଆତ୍ମସନ୍ତୁଷ୍ଟି । ସମର୍ଥକ ପଛେ କରୋନାରେ ଆକ୍ରାନ୍ତ ହୁଅନ୍ତୁ ଅଥବା ପ୍ରାଣ ହରାନ୍ତୁ, ଏହାକୁ ନେଇ ତାଙ୍କର ତିଳେମାତ୍ର ନାହିଁ ଚିନ୍ତା ।
ନିର୍ବାଚନ ସମୟରେ ଅପରାଜିତା ଗାଁ ଗାଁ ବୁଲି ଲୋକଙ୍କ ନିକଟରେ ପହଞ୍ଚିଥିଲେ । କିନ୍ତୁ ନିର୍ବାଚନ ପରେ ଭୁବନେଶ୍ୱରରୁ ଦିଲ୍ଲୀ ମଧ୍ୟରେ ରହିଛି ତାଙ୍କ ଆତଯାତ । ନାଁ ସେ ଲୋକଙ୍କ ନିକଟକୁ ଯାଉଛନ୍ତି, ନାହିଁ ଲୋକଙ୍କ ସମସ୍ୟା ବୁଝି ସେସବୁ ଦୂର ପାଇଁ ନେଉଛନ୍ତି ପଦକ୍ଷେପ । ଖାଲି ସେତିକି ନୁହେଁ ଦଳରେ ମଧ୍ୟ ଅପରାଜିତାଙ୍କର ଦଳୀୟ ନେତାଙ୍କ ସହ ରହୁନାହିଁ ତାଳମେଳ । ରାଜ୍ୟ ବିଜେପିର ବିଭିନ୍ନ ନେତାଙ୍କ ସହ ତାଙ୍କର ରହିଛି ତିକ୍ତତା । ଯେଉଁଥିପାଇଁ ଦଳରେ ତାଙ୍କ ପ୍ରତି ଆଦର ନାହିଁ । କରୋନା ମହାମାରୀ ସମୟରେ ଅପରାଜିତା ଭୁବନେଶ୍ୱରରେ ଥାଇ ମଧ୍ୟ ଲୋକଙ୍କ ସମସ୍ୟା ବୁଝି ନ ଥିଲେ । ଲୋକେ କାମ ନ ପାଇଁ ଭୋକ ଉପାସରେ ମରୁଥିବା ବେଳେ ସାଂସଦ କିନ୍ତୁ ନିଜ ଘରେ ସୁରକ୍ଷିତ ରହିଥିଲେ ।
ଅପରାଜିତାଙ୍କ ମନମୁଖୀ କାର୍ଯ୍ୟକୁ ନେଇ ଦଳୀୟ କର୍ମକର୍ତ୍ତାଙ୍କ ମଧ୍ୟରେ ବୃଦ୍ଧି ପାଉଛି ଅସନ୍ତୋଷ । ଏବେ ଧୀରେ ଧୀରେ ଅସନ୍ତୁଷ୍ଟ ଅପରାଜିତାଙ୍କ ବିଜୟ ପଛର ଗୁମର ଖୋଲୁଛନ୍ତି । ଶୁଣିବାକୁ ମିଳୁଛି, ଅପରାଜିତା ପ୍ରଶାସନିକ ଅଧିକାରୀ ଭାବେ ନିଜ ଦକ୍ଷତା ପାଇଁ ଏହି ବିଜୟ ହାସଲ କରି ନାହାନ୍ତି । ଏହି ବିଜୟ ପଛରେ ରହିଛନ୍ତି ବିଜେଡିର ଜଣେ ନେତା । ଭୁବନେଶ୍ୱରର ଏହି ନେତା ମେୟର ଥିବା ବେଳେ ଅପରାଜିତା ବିଏମସି କମିଶନର ଭାବେ କାର୍ଯ୍ୟ କରୁଥିଲେ । ସେବେଠାରୁ ଉଭୟଙ୍କ ମଧ୍ୟରେ ଘନିଷ୍ଠତା ରହିଛି । ସାଧାରଣ ନିର୍ବାଚନ ସମୟରେ ଉକ୍ତ ନେତା ଅପରାଜିତାଙ୍କୁ ଜିତାଇବାକୁ ବିଜେଡି ସାଂସଦ ପ୍ରାର୍ଥୀ ଅରୁପ ପଟ୍ଟନାୟକଙ୍କ ଗୋଛି କାଟିଥିଲେ । ତେଣୁ ଆଜି ଅପରାଜିତା ବିଜୟ ହାସଲ କରିଛନ୍ତି । କିନ୍ତୁ ରାଜନୀତିରେ ସେ ଜଣେ ଅପାରଗ ନେତ୍ରୀ ବୋଲି ଦଳରେ ମତ ପ୍ରକାଶ ପାଉଛି ।