କେନ୍ଦ୍ରାପଡ଼ା : କୋଳରେ ମାସକର ଛୁଆ ଧରି ମଇଦାନକୁ ଓହ୍ଲାଇଛନ୍ତି ମା’ । ଏ ଭଳି ନିଆରା ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରପଡ଼ା ଜିଲ୍ଲା ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ଦଶିପୁର ପଞ୍ଚାୟତରେ । ଘର ଘର ବୁଲି ଛୋଟ ଛୁଆକୁ ଧରି ଭୋଟ ଭିକ୍ଷା କରୁଛି ମା’ । ବିଜେଡ଼ିର ଜିଲ୍ଲାପରିଷଦ ପାର୍ଥୀ ଭାବ ଛିଡ଼ା ହୋଇଛନ୍ତି ଦୁର୍ଗାବତୀ ପ୍ରଧାନ । ସୂଚନାଅନୁସାରେ କେନ୍ଦ୍ରପଡ଼ା ଜିଲ୍ଲା ମହାକଳପଡ଼ା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୨୫ ନମ୍ବର ଜୋନରୁ ପାର୍ଥୀ ହୋଇଛନ୍ତି ଦୁର୍ଗାବତୀ । ତେବେ ମୁଣ୍ଡ ଉପରେ ନିର୍ବାଚନ ରହିଛି । ଏଥିପାଇଁ ସବୁଠି ବି ଜୋରଦାର ପ୍ରଚାର ହେଲାଣି । ଯେଉଁଥିରୁ ବାଦ୍ ପଡି ନାହାଁନ୍ତି ଦୂର୍ଗା । ପ୍ରଚାରରେ ସାମିଲ ହୋଇଛନ୍ତି । ହେଲେ ପ୍ରଚାର ବେଳେ କିନ୍ତୁ ଦୂର୍ଗାଙ୍କୁ ଦେଖିବାକୁ ମିଳିଛି ଅନନ୍ୟ ଢ଼ଙ୍ଗରେ । କୋଳରେ ରହିଛି ସଦ୍ୟ ଜନ୍ମିତ ଶିଶୁ । ଗୋଟିଏ ପଟେ ମା’ର ମମତା ଆଉ ଅନ୍ୟପଟେ କିଛି ନୂଆ କରିବାର ଆଶା । ପ୍ରଥମ କରି ନିର୍ବାଚନରେ ପାଦ ଦେଇଥିବା ଦୂର୍ଗା କୌଣସି କ୍ଷେତ୍ରରେ ଅବହେଳା କରିବାକୁ ଚାହିଁନାହାନ୍ତି । ଯାହାର ପ୍ରମାଣ ସମସ୍ତଙ୍କ ଆଖି ସାମ୍ନାରେ । ପୁଅର ଯତ୍ନ ସାଙ୍ଗକୁ ପଞ୍ଚାୟତ ପ୍ରଚାର ଦୁଇଟା ଯାକ ଏକାସାଙ୍ଗରେ ବେଶ୍ ସୂଚାରୁରୂପେ ତୁଲାଇଛନ୍ତି ଦୂର୍ଗା । ଏକଥା ଆମେ ନୁହେଁ ବରଂ ଦୂର୍ଗାଙ୍କ ପାଖରେ ଥିବା ଲୋକେ ପ୍ରକାଶ କରିଛନ୍ତି । ରିପୋର୍ଟ ଅନୁସାରେ, ଦୁର୍ଗା ପ୍ରଚାର ପୂର୍ବରୁ ପ୍ରଥମେ ତାଙ୍କ ଆରଧ୍ୟ ଦେବା ଦେବୀଙ୍କ ପାଖକୁ ଯାଇଥିଲେ । ଆର୍ଶୀବାଦ ପାଇବା ପାଇଁ । ପରେ ସେଠାରୁ ନିଜର ସମର୍ଥକଙ୍କ ସହିତ ଘରକୁ ଘର ବୁଲିଥିଲେ । ପିଲାକୁ କୋଳରେ ଧରି ପୂରା ପଞ୍ଚାୟତ ସାରା ଦୂର୍ଗା ବୁଲିଥିବା ଜଣାପଡିଛି । ଏତିକି ନୁହେଁ ପ୍ରତିଟି ଲୋକଙ୍କ ସମସ୍ୟା ବୁଝିବା ସାଙ୍ଗକୁ ତୁରନ୍ତ ସେସବୁର ସମାଧାନ କରିବାକୁ ର୍ଦୂଗା ପ୍ରତିଶ୍ରୁତି ଦେଇଛନ୍ତି । ଆଶା କରିବୁ ଦୂର୍ଗା ଯେଉଁ ଲକ୍ଷ୍ୟ ରଖି ଉଭୟ ମା’ର ଦାୟିତ୍ୱ ଓ କର୍ତ୍ତବ୍ୟ ସାଙ୍ଗକୁ ପଞ୍ଚାୟତବାସୀଙ୍କ ପାଇଁ ଆଶା ରଖି ଆଗକୁ ବଢ଼ିଛନ୍ତି ତାହା ସଫଳ ହେଉ ।