ଭିତରକନିକା:- ଭିତରକନିକାର ଘଞ୍ଚ ଜଙ୍ଗଲରେ ୬ଦିନ ଧରି ବାଟବଣା ହୋଇ ନିଖୋଜ ଥିବା ମା’ ପୁଅଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଆଜି ସକାଳୁ ବନ ବିଭାଗର ୧୦ଟି ଟିମ୍ରେ ପ୍ରାୟ ୧୦୦ଜଣ ଖୋଜାଖୋଜି କରି ମା’ ଓ ପୁଅଙ୍କୁ ଉଦ୍ଧାର କରିଛନ୍ତି। କେନ୍ଦ୍ରାପଡା ଜିଲ୍ଲାର ଭିତରକନିକା ଜାତୀୟ ଉଦ୍ୟାନ ମଧ୍ୟରେ ଥିବା ବାଉଁସଗଡା ନଦୀରେ କଙ୍କଡ଼ା ଧରୁଥିବା ସମୟରେ ଜଣେ ମହିଳା ଓ ତାଙ୍କ ପୁଅ ପାଞ୍ଚ ଦିନ ପୂର୍ବେ ନିଖୋଜ ହୋଇଯାଇଥିଲେ। ସୋମବାର ଉଭୟ ମା’ ଓ ପୁଅ ହାବାଲା ଜଙ୍ଗଲରେ ସୁରକ୍ଷିତ ଭାବରେ ମିଳିଥିବାର ସୂଚନା ମିଳିଛି।

ରାଜନଗର ଥାନା ଅନ୍ତର୍ଗତ ଗୁପ୍ତି ପଞ୍ଚାୟତ ଦେବେନ୍ଦ୍ରନାରାୟଣପୁର ଗାଁର ଦିଲ୍ଲୀପ ମୀର୍ଦ୍ଧାଙ୍କ ପତ୍ନୀ ଅଞ୍ଜନା ମୀର୍ଦ୍ଧା ଓ ତାଙ୍କ ପୁଅ ରତିକାନ୍ତ ମୀର୍ଦ୍ଧା ସେହି ଗାଁର ଅହଲ୍ୟା ମଣ୍ଡଳ ଓ ତାଙ୍କ ପୁଅ ଚାନ୍ଦ ବୁଧବାର ଭିତରକନିକା ଜାତୀୟ ଉଦ୍ୟାନକୁ କଙ୍କଡ଼ା ଧରିବାକୁ ଯାଇଥିଲେ। ମାତ୍ର ଜଙ୍ଗଲରେ ବାଟବଣା ହୋଇଯାଇଥିଲେ ଅଞ୍ଜନା ଓ ରତିକାନ୍ତ। ସେମାନଙ୍କୁ ନ ପାଇ ଗୁରୁବାର ଅହଲ୍ୟା ଓ ତାଙ୍କ ପୁଅ ଘରକୁ ଫେରି ପରିବାର ଲୋକଙ୍କୁ ଜଣାଇଥିଲେ। ଶନିବାର ୨୦ଜଣ ବନ କର୍ମଚାରୀ ଜଙ୍ଗଲରେ ଖୋଜାଖୋଜି କରିଥିଲେ ମଧ୍ୟ ସୁଫଳ ମିଳି ନ ଥିଲା। ସୋମବାର ସକାଳୁ ବନ ବିଭାଗର ୪୦ଜଣ କର୍ମଚାରୀ ଓ ୬୦ଜଣ ସ୍ଥାନୀୟ ଲୋକ ୪ଟି ବୋଟ୍ ଓ ୬ଟି ଡଙ୍ଗାରେ ଖୋଜାଖୋଜି ଆରମ୍ଭ କରିଥିଲେ। ଅପରାହ୍ନରେ ମାଙ୍କୁଆ ନାଳ ନିକଟରେ ବୋଟ୍ ଶବ୍ଦ ଶୁଣି ମା’-ପୁଅ ଡାକ ପକାଇଥିଲେ। ଫଳରେ କର୍ମଚାରୀମାନେ ଜଙ୍ଗଲ ଭିତରକୁ ଯାଇ ଏକ ବୁଦା ନିକଟରୁ ମା’-ପୁଅଙ୍କୁ ଉଦ୍ଧାର କରିଥିଲେ। ସେମାନଙ୍କୁ ଖାଦ୍ୟ ପାଣି ଯୋଗାଇ ଦିଆଯାଇଥିଲା ଓ ଡଙ୍ଗା ଦ୍ୱାରା ସୁରକ୍ଷିତ ଭାବରେ ସେଠାରୁ ଉଦ୍ଧାର କରାଯାଇଥିଲା। ଉଭୟଙ୍କୁ ସେମାନଙ୍କ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରିବା ପୂର୍ବରୁ ଡାକ୍ତରୀ ପରୀକ୍ଷା ପାଇଁ ହସ୍ପିଟାଲକୁ ନିଆଯାଇଥିବା ସୂଚନା ମିଳିଛି।