ବଳଙ୍ଗା ପୀଡ଼ିତାଙ୍କ ଶେଷକୃତ୍ୟ ସମ୍ପନ୍ନ

ବଳଙ୍ଗା: ବଳଙ୍ଗା ପୀଡ଼ିତାଙ୍କ ମରଶରୀରର ଶେଷକୃତ୍ୟ ସମ୍ପନ୍ନ । ନିଜ ଗାଁ ବାୟାବର କବରସ୍ତାନରେ ପୀଡିତାଙ୍କୁ କବର ଦିଆଯାଇଛି । ପୂର୍ବରୁ ଜନ୍ମମାଟିର କବରସ୍ତାନରେ କବର ଖୋଳାଯାଇଥିଲା । ସମସ୍ତ ମୁସଲମାନ ରୀତିନୀତିରେ ପୀଡ଼ିତାଙ୍କ ଅନ୍ତିମ ସଂସ୍କାର ଶେଷ ହୋଇଛି । ନମାଜ ପାଠ ପରେ କବର ସ୍ଥାନକୁ ନିଆଯାଇଥିଲା ବଳଙ୍ଗା ପୀଡ଼ିତାଙ୍କ ମୃତଦେହ  । ସେପଟେ ପୀଡ଼ିତାଙ୍କ ପରିବାରକୁ ଭେଟି ଶେଷକୃତ୍ୟରେ ସାମିଲ ହୋଇଛନ୍ତି ଉପମୁଖ୍ୟମନ୍ତ୍ରୀ ।

ତେବେ ଗତକାଲି ରାତି ପ୍ରାୟ ୧୧ଟା ସମୟରେ ଦିଲ୍ଲୀରୁ ବିମାନ ଯୋଗେ ଭୁବନେଶ୍ଵର ବିମାନ ବନ୍ଦରରେ ପହଞ୍ଚିଥିଲା ପୀଡିତାଙ୍କ ମରଶରୀର । ବିମାନ ବନ୍ଦରରୁ କଡ଼ା ସୁରକ୍ଷା ବଳୟ ଭିତରେ ନିଜ ଗାଁକୁ ନିଆଯାଇଥିଲା ମରଶରୀର । ସ୍ୱତନ୍ତ୍ର କାର୍‌କେଡ୍‌ରେ ଯାଇଥିଲା ପୀଡ଼ିତାଙ୍କ ମରଶରୀର । ଦୀର୍ଘ ୧୫ଦିନ ଧରି ମୃତ୍ୟୁ ସହ ଲଢ଼େଇ କରିବା ପରେ ଶେଷରେ ଜୀବନ ଯୁଦ୍ଧରେ ହାର ମାନିଯାଇଥିଲେ ନାବାଳିକା ଜଣଙ୍କ । ଗତ ୨ ତାରିଖରେ ପୀଡିତାଙ୍କର ଦିଲ୍ଲୀ ସ୍ଥିତ ଏମ୍ସରେ ମୃତ୍ୟୁ ହୋଇଥିଲା । ତେବେ ପ୍ରଥମ ଦିନରୁ ତାଙ୍କୁ ତିନି ଜଣ ଜାଳି ଦେଇଥିବା ପୀଡ଼ିତା କହିଥିଲେ । କିନ୍ତୁ ପରେ ଏନେଇ ଖୋଳତାଡ କରିବା ପରେ ପୋଲିସ ଏହି ଘଟଣାରେ କାହାର ସମ୍ପୃକ୍ତି ନଥିବା ନେଇ କହିଛି ।