ପେଟ୍ରୋଲ-ଡିଜେଲ ୧୦୦ ପାର, କେଉଁଠି କେତେ ରେଟ୍

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହର ଯୋଗୁ ଅନେକ ଲୋକ ଜୀବିକା ହରାଇଥିବା ବେଳେ ଅତ୍ୟାବଶକୀୟ ଜିନିଷର ଦର ବୃଦ୍ଧି ଦିନକୁ ଦିନ ବଢିଚାଲିଛି ଏଥିମଧ୍ୟରେ ଡିଜେଲ ଓ ପେଟ୍ରୋଲ ଦର ମଧ୍ୟ ବାଦ ପଡିନାହିଁ । ଏନେଇ ଆଜି ପେଟ୍ରୋଲିୟମ କମ୍ପାନୀଗୁଡ଼ିକ ଶୁକ୍ରବାର ପେଟ୍ରୋଲ ଓ ଡିଜେଲର ନୂଆ ଦର ପ୍ରକାଶ କରିଛନ୍ତି । ଇଣ୍ଡିଆନ ଅଏଲ କୋପୋର୍ରେଶନ ଅନୁଯାୟୀ ଶୁକ୍ରବାର ଦିଲ୍ଲୀରେ ପେଟ୍ରୋଲ ୧୦୧.୮୪ ଟଙ୍କା ଓ ଡିଜେଲ ଲିଟର ପିଛା ୮୯.୮୭ ଟଙ୍କା ରହିଛି। ଦେଶର ଅନ୍ୟ ସହରରେ ମଧ୍ୟ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ସ୍ଥିର ରହିଛି ।
୧୯ଟି ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା ୧୦୦ ଟଙ୍କା ଅତିକ୍ରମ କରିଛି । ଯେଉଁଥିରେ ମହାରାଷ୍ଟ୍ର, ଦିଲ୍ଲୀ, ପଶ୍ଚିମବଙ୍ଗ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ରାଜସ୍ଥାନ, ମଧ୍ୟପ୍ରଦେଶ, କର୍ଣ୍ଣାଟକ, ଉତ୍ତରପ୍ରଦେଶ, ହରିୟାଣା, ଜମ୍ମୁ କଶ୍ମୀର, ଓଡିଶା, ଲଦାଖ, ବିହାର, କେରଳ, ପଞ୍ଜାବ, ସିକ୍କିମ ଏବଂ ନାଗାଲାଣ୍ଡ ଅନ୍ତର୍ଭୁକ୍ତ ରହିଛି ।
ଜୁଲାଇ ୧୭ରେ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୩୦ ପଇସା ମହଙ୍ଗା ହୋଇଥିଲା । ସେପଟେ ଦେଶର ବଡ଼ ବଡ଼ ସହର ସମେତ ବିଭିନ୍ନ ସ୍ଥାନରେ ପେଟ୍ରୋଲ ଦର ଲିଟର ପିଛା ୧୦୦ ଟଙ୍କା ଉପରେ ସ୍ଥିର ରହିଛି । ଡିଜେଲ ଦର ମଧ୍ୟ ୧୦୦ ପାଖାପାଖି ପହଞ୍ଚିସାରିଛି ।
ଆଜି ରାଜଧାନୀ ଦିଲ୍ଲୀରେ ଲିଟର ପିଛା ୧୦୧.୮୪ ଟଙ୍କାରେ ପେଟ୍ରୋଲ ବିକ୍ରି ହେଉଛି । ମୁମ୍ବାଇରେ ଲିଟର ପିଛା ୧୦୭.୮୩ ଟଙ୍କା ରହିଛି । କୋଲକାତା ଲିଟର ପିଛା ୧୦୨.୦୮ ଟଙ୍କାରେ ବିକ୍ରି ହେଉଛି । ଚେନ୍ନାଇରେ ପେଟ୍ରୋଲ ଲିଟର ପିଛା ୧୦୨.୪୯ ଟଙ୍କା ରହିଛି । ସେହିପରି ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ଦର ୧୦୨.୬୬ ଟଙ୍କା ପ୍ରତି ଲିଟର ଦରରେ ବିକ୍ରି ହେଉଛି । ବେଙ୍ଗାଲୁରୁରେ ପେଟ୍ରୋଲ ଲିଟର ପିଛା ୧୦୫.୨୫ ଦରରେ ବିକ୍ରି ହେଉଛି । ସେପଟେ ରାଜସ୍ଥାନର ରାଜଧାନୀ ଜୟପୁରରେ ପେଟ୍ରୋଲ ଲିଟର ପିଛା ୧୦୮.୭୧ ଟଙ୍କା ଦରରେ ବିକ୍ରି ହେଉଛି । ସେହିପରି ପାଟନାରେ ୧୦୪.୨୫ ଓ ତିଭେନ୍ଦ୍ରମରେ ୧୦୩.୫୮ ଟଙ୍କା ପ୍ରତି ଲିଟର ଦରରେ ବିକ୍ରି ହେଉଛି ।
ସେହିପରି ଡିଜେଲର ମୂଲ୍ୟ ବିଷୟରେ କହିବାକୁ ଗଲେ ଦିଲ୍ଲୀରେ ଏହା ଲିଟର ପିଛା ୮୯.୮୭ ଟଙ୍କା ରହିଛି । ଡିଜେଲ ଲିଟର ପିଛା ମୁମ୍ବାଇରେ ୯୭.୪୫ ଟଙ୍କା ଏବଂ କୋଲକାତାରେ ଲିଟର ପିଛା ୯୩.୦୨ ଟଙ୍କା ରହିଛି । ଚେନ୍ନାଇରେ ଡିଜେଲ ଲିଟର ପିଛା ୯୪.୩୯ ଟଙ୍କା ରହିଛି । ଭୁବନେଶ୍ୱରରେ ଡିଜେଲ ୯୭.୯୫ ଟଙ୍କା ଦରରେ ବିକ୍ରି ହେଉଛି ।