ବାସନ୍ତୀ ପାଠାଗାରର ମାସିକ ସାହିତ୍ୟ ଆସର

ରାଉରକେଲା: ସହରର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ବାସନ୍ତୀ ପାଠାଗାରର ମାସିକ ସାହିତ୍ୟ ଆସର ପାଠାଗାର ପରସରରେ ଅନୁଷ୍ଠିତ ହୋଇଯାଇଛି। ପାଠାଗାରର ସଭାପତି ପ୍ରଫେସର ଜେ କେ ରାଓଙ୍କ ସଭାପତିତ୍ବ ଓ ସାଧାରଣ ସଂପାଦକ ବିକ୍ରମ ଚନ୍ଦ୍ର ଆଚାର୍ଯ୍ୟଙ୍କ ଆବାହକତ୍ବ ତଥା ସଂଯୋଜନାରେ ଆୟୋଜିତ ଏହି ଆସରରେ ଡଃ ପ୍ରଶାନ୍ତ କୁମାର ମହାରଣା ମୁଖ୍ୟ ଆଲୋଚକ ଭାବେ ଯୋଗ ଦେଇ ମନୋଜ ଦାସଙ୍କ ଜୀବନୀ ଓ ସାରସ୍ବତ ସାଧନା ସଂପର୍କରେ ଆଲୋଚନା କରିଥିଲେ। ପ୍ରାରମ୍ଭରେ ମୀନକେତନ ପଶାୟତ ମନୋଜ ଦାସଙ୍କ ସଂପର୍କରେ ଆଲୋକପାତ କରିବା ପରେ ପ୍ରାକ୍ତନ ପ୍ରଫେସର ଅଚିନ୍ତ ନାରାୟଣ ଜେନା ତାଙ୍କ ସାହିତ୍ୟକୃତି ସଂପର୍କରେ ଆଲୋଚନା କରିଥିଲେ । ମୁଖ୍ୟ ଆଲୋଚକ ଡଃ ମହାରଣା କହିଲେ ଯେ ମନୋଜ ଦାସଙ୍କ ଲେଖା ଗୁଡିକ ଭୂମି ରୁ ଭୂମା ପର୍ଯ୍ୟନ୍ତ ପରିବ୍ୟାପ୍ତ। ତାଙ୍କ ସାହିତ୍ୟରେ ରହିଛି ଜୀବନ ଓ ମୃତ୍ୟୁର ପ୍ରାସଙ୍ଗିକତା। ସେ ଥିଲେ ଉଚ୍ଚାଙ୍ଗ ସାହିତ୍ୟ ସ୍ରଷ୍ଟା। ସାହିତ୍ୟର ତୂର୍ଯ୍ୟନାଦ ଥିଲେ ବୋଲି ମତ ରଖିଥିଲେ।

         ଏହି ଅବସରରେ ସଂଜୀବ କୁମାର ଭୋଇ ଗଳ୍ପ ପାଠ କରିଥିବା ବେଳେ ଏହାକୁ ସମୀକ୍ଷା କରିଥିଲେ ରାଜକୁମାର ମହାନ୍ତି। ସେହିପରି କବିତା ପାଠ କରିଥିଲେ ସର୍ବଶ୍ରୀ ସ୍ବରୂପ ମହାପାତ୍ର, କୁଞ୍ଜବିହାରୀ ରାଉତ, ରାଜୀବ ପାଣି, ମୀନକେତନ ପଶାୟତ, ବବିତା ପଟ୍ଟନାୟକ, ବଳରାମ ରାଉଳ,ପ୍ରଶାନ୍ତ କୁମାର ମହାରଣା ପ୍ରମୁଖ। କବିତା ଗୁଡିକୁ ସମୀକ୍ଷା କରିଥିଲେ ସଂପାଦକ ଶ୍ରୀ ଆଚାର୍ଯ୍ୟ। ସଭାପତିତ୍ବ ଅଭିଭାଷଣରେ ପ୍ରଫେସର ରାଓ ମନୋଜ ଦାସଙ୍କ ସାହିତ୍ୟରେ ଜୀବନ ଦର୍ଶନ ଉପରେ ମତ ରଖିବା ସହ ଏକ କବିତା ପାଠ କରିଥିଲେ। କାର୍ଯ୍ୟକ୍ରମ ଶେଷରେ କାର୍ଯ୍ୟକାରୀ ସଭାପତି ବିଭୁଦତ୍ତ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ସୁବାସ ମହାପାତ୍ର, ସରୋଜ ପାତ୍ର, କୁଳମଣି ଦାସ,ମନୋଜ କୁମାର ବିଶୋଇ,ଶରତ ଚନ୍ଦ୍ର ରାଉତ, ହରିହର ଶତପଥୀ, ବସନ୍ତ କୁମାର ମହାରଣା, ସ୍ବପନ କୁମାର ପଣ୍ଡା, ଶ୍ରୀକାନ୍ତ ପାଣିଗ୍ରାହୀ, କବିତା ଦାଶ,ସୁଭାଷିନୀ ସାହୁ, ପୀତବାସ ପ୍ରଧାନ, ଗଦାଧର ରଥ, ଅରବିନ୍ଦ ପାତ୍ର, ସୁକଦେବ ସାହୁ, ବିଜୟ କୁମାର ବରାଳ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।