Nuapada By-Election: ନୂଆପଡ଼ା ଉପନିର୍ବାଚନ ପ୍ରସ୍ତୁତି ନେଇ CEOଙ୍କ ସୂଚନା । ‘କାଲି ସାଢ଼େ ୫ରୁ ମକ୍ ପୋଲ୍ ଆରମ୍ଭ ହେବ । ମକ୍ ପୋଲ୍ ପରେ ୭ଟାରୁ ଆରମ୍ଭ ହେବ ମତଦାନ । ସୁନାବେଡ଼ାର ୮ଟି ବୁଥ୍ରେ ଅପରାହ୍ନ ୪ଟାରେ ସରିବ ମତଦାନ । ସେହିପରି ଅନ୍ୟ ବୁଥ୍ମାନଙ୍କରେ ଅପରାହ୍ନ ୫ଟା ପର୍ଯ୍ୟନ୍ତ ହେବ ମତଦାନ । ସମୟ ସରିବା ପୂର୍ବରୁ ଯେଉଁମାନେ ଧାଡ଼ିରେ ଥିବେ ଭୋଟ୍ ଦେଇପାରିବେ । EVM ତ୍ରୁଟି ସାମ୍ନାକୁ ଆସିଲେ ସଙ୍ଗେ ସଙ୍ଗେ ରିଜର୍ଭ ରୁମ୍ରୁ ଆସିବ ବୋଲି କହିଛନ୍ତି ନିର୍ବାଚନ ଅଧିକାରୀ ।

ସେପଟେ EVM ଚୋରି ଅଭିଯୋଗରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପ୍ରେସ୍ମିଟ୍ । ଅନ୍ୟ ଜିଲ୍ଳାରୁ କୌଣସି ଇଭିଏମ ଆସିନଥିବା ନେଇ ସ୍ପଷ୍ଟୀକରଣ ରଖିଲେ ମୁଖ୍ୟ ନିର୍ବାଚନ ଅଧିକାରୀ । ଗତକାଲି ସଂଧ୍ୟାରେ ନୂଆପଡ଼ାକୁ ବାହାରୁ କୌଣସି ମେସିନ୍ ଆସିନାହିଁ । ରାଜ୍ୟର ୩୦ ଜିଲ୍ଲାରେ ଇଭିଏମ ଷ୍ଟ୍ରଙ୍ଗରୁମ ରହିଛି । ପ୍ରତ୍ୟେକ ଷ୍ଟ୍ରଙ୍ଗରୁମରେ ୩ ମାସରେ ଥରେ ଲେଖାଏ ଯାଞ୍ଚ କରାଯାଏ । ଯାଞ୍ଚ ସମୟରେ ସମସ୍ତ ରାଜନୈତିକ ଦଳର ପ୍ରତିନିଧି ଉପସ୍ଥିତ ରୁହନ୍ତି । ଅଭିଯୋଗ ପରେ ଗଞ୍ଜାମର ୨ ୱେୟାରହାଉସର ସିସିଟିଭି ଫୁଟେଜ ଯାଞ୍ଚ ହୋଇଥିଲା । ଏଯାଏ EVM ବିରୋଧୀ ଗୋଟିଏ ଅଭିଯୋଗ ପ୍ରମାଣିତ ହୋଇନାହିଁ । ସମସ୍ତ ଯାଞ୍ଚର ଭିଡିଓଗ୍ରାଫି ହୋଇଥିବା ନେଇ ସୂଚନା ମିଳିଛି । ତେବେ ଗତକାଲି ବିଜେଡି ଇଭିଏମ ଚୋରିର ଅଭିଯୋଗ ଆଣିଥିଲା ।

ଇଭିଏମ୍ ମେସିନ୍ ଚୋରି ନେଇ ଆସିଥିବା ଅଭିଯୋଗରୁ ଉପରୁ ପରଦା ହଟାଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍.ଏସ୍ ଗୋପାଳନ । ସେ କହିଛନ୍ତି ନିର୍ଦ୍ଧିଷ୍ଟ ଦଳ ପକ୍ଷରୁ ଇଭିଏମ୍ ଚୋରି ନେଇ ଆସିଥିବା ଅଭିଯୋଗର କୌଣସି ସତ୍ୟତା ନାହିଁ । ଇଭିଏମ୍ ଚୋରି ଅଭିଯୋଗ ଆସିବା ପରେ ନିର୍ବାଚନ ଅଧିକାରୀ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ଗଞ୍ଜାମର ଦୁଇଟି ଷ୍ଟ୍ରଙ୍ଗ ରୁମରେ ରଖାଯାଇଥିବା ଇଭିଏମ୍ ମେସିନର ଯାଞ୍ଚ କରାଯାଇଛି । ଏପରିକି ଅଭିଯୋଗ ଆଣିଥିବା ଦଳକୁ ଭିଡ଼ିଓ ପ୍ରମାଣ ମଗାଯାଇଥିଲା । ସେ ମଧ୍ୟ ଦୁଇ ଘଣ୍ଟାରେ ଭିଡ଼ିଓ ଦେବେ କହି ଦେଇ ନାହାଁନ୍ତି । ସେପରି କିଛି ସତ୍ୟତା ହସ୍ତଗତ ହୋଇ ନାହିଁ ବୋଲି ନିର୍ବାଚନ ଅଧିକାରୀ କହିଛନ୍ତି ।

ସେ ଆଉ ମଧ୍ୟ କହିଛନ୍ତି ରାଜ୍ୟର ୩୦ଟି ଜିଲ୍ଲାରେ ଷ୍ଟ୍ରଙ୍ଗ ରୁମରେ ଇଭିଏମ୍ ମେସିନ ରହିଛି । ସେଠାରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ପ୍ରତି ତିନି ମାସରେ ଥରେ ସମସ୍ତ ଷ୍ଟ୍ରଙ୍ଗ ରୁମର ଯାଞ୍ଚ କରାଯାଇଥାଏ । ଇଭିଏମ୍ ମେସିନ୍ ବାହାର କରିବାକୁ ହେଲେ ବିଭିନ୍ନ ଅଧିକାରୀଙ୍କ ଅନୁମତି ନେବାକୁ ପଡ଼ିଥାଏ । ତାର ଅନେକ ପ୍ରୋସିଜ୍ୟୁଅର୍ ରହିଥାଏ । ତେଣୁ ଜଣେ ଚାହିଁଲେ ଇଭିଏମ୍ ଆଣିପାରିବେ ନାହିଁ । ଗଞ୍ଜାମ ଜିଲ୍ଲାରେ ଏ ମାସରେ କୌଣସି ଯାଞ୍ଚ ହୋଇନାହିଁ । ଏହା ସହିତ କେଉଁଠାକୁ ଇଭିଏମ୍ ମରାମତି ପଠାହେଲେ ତାର ପ୍ରତ୍ୟେକ ତଥ୍ୟ ରଖାଯାଇଥାଏ । କେଉଁଠିକୁ ଯିବ ଏବଂ କେଉଁ ଗାଡ଼ିରେ ଯାଉଛି ତାର ରିପୋର୍ଟ ରଖାଯାଇଥାଏ ବୋଲି କହିଛନ୍ତି ନିର୍ବାଚନ ଅଧିକାରୀ । ସେହିପରି ଆଜି ଯାଏ କୌଣସି ପରିସ୍ଥିତିରେ କୌଣସି କୋର୍ଟରେ ଇଭିଏମ୍ ଚୋରି ସମ୍ପର୍କିତ ମାମଲା ସତ୍ୟ ପ୍ରମାଣିତ ହୋଇ ନାହିଁ ।