ହରିୟାଣାରେ ୧୪୪ ଧାରା ସହ ୨ ଦିନ ମୋବାଇଲ ଇଣ୍ଟରନେଟ ସେବା ବନ୍ଦ

ହରିୟାଣା: ଦୁଇ ଗୋଷ୍ଠୀ ବିବାଦରୁ ଗଣ୍ଡଗୋଳ । ହିଂସାର ନିଆଁରେ ଜଳୁଛି ହରିୟାଣା । ଗୁରୁଗ୍ରାମ ପର୍ଯ୍ୟନ୍ତ ଏହି ଅଶାନ୍ତି ବ୍ୟାପି ଥିବା ବେଳେ ପଥର ମାଡ ସାଙ୍ଗକୁ ପୋଡାଜଳା ମଧ୍ୟ ହୋଇଛି । ୨ ହୋମଗାର୍ଡଙ୍କ ସମେତ ୩ ମୃତ ହୋଇଥିବା କୁହାଯାଇଛି । ନୁହ ଜିଲ୍ଲାରେ ଧର୍ମୀୟ ସଂଗଠନର ଶୋଭାଯାତ୍ରା ବେଳେ ହିଂସାକାଣ୍ତ ଘଟିଥିବା ନେଇ ସୂଚନା । ଗୁରୁଗ୍ରାମ ଏବଂ ଫରିଦାବାଦ ଜିଲ୍ଲାର ସମସ୍ତ ଶିକ୍ଷାନିଷ୍ଠାନ ଛୁଟି ଘୋଷଣା କରାଯାଇଛି । ନୁହ ଏବଂ ଗୁରୁଗ୍ରାମ ଜିଲ୍ଲାରେ ୧୪୪ ଧାରା ଲାଗୁ କରାଯାଇଛି । ଏହାସହ ନୁହ ଏବଂ ଫରିଦାବାଦରେ ଆସନ୍ତା ବୁଧବାର ପର୍ୟ୍ୟନ୍ତ ମୋବାଇଲ୍ ଇଣ୍ଟରନେଟ୍ ସେବାକୁ ବନ୍ଦ କରାଯାଇଛି । ଶୋଭାଯାତ୍ରାକୁ ଭିନ୍ନ ଏକ ଗୋଷ୍ଠୀ ରୋହିବା ପାଇଁ ଚେଷ୍ଟା କରିଥିଲା ଏବଂ ପଥର ମାଡ଼ରୁ ଆରମ୍ଭ ହୋଇଥିଲା ହିଂସା । ଏହି ହିଂସାକାଣ୍ତରେ ୨ ହୋମଗାର୍ଡଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ନେଇ ସୂଚନା ରହିଛି ।
ସୂଚନାନୁଯାୟୀ ,ଯେଉଁଥିରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଛନ୍ତି । ଘଟଣା ସ୍ଥଳରେ ହରିୟାଣା ପୋଲିସ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିବାପାଇଁ ଚେଷ୍ଟାକରୁଛି । ଜନଗହଳି କମାଇବା ପାଇଁ ଲୁହବୁହା ଗ୍ୟାସର ପ୍ରୟୋଗ କରାଯାଇଛି । ସୋସିଆଲ ମିଡିଆରେ ବଲ୍ଲଭଗଡ଼ରେ ଜଣେ ବଜରଙ୍ଗ ଦଳ କାର୍ୟ୍ୟକର୍ତ୍ତାଙ୍କ ଆପତ୍ତିଜନକ ଭିଡିଓ ପୋଷ୍ଚ କରିବା ପରେ ହିଂସା ଆରମ୍ଭ ହୋଇଥିଲା । ଧାର୍ମିକ ଶୋଭାଯାତ୍ରାରେ ସାମିଲ ହେବା ପାଇଁ ଆସିଥିବା ୨୫୦୦ ଲୋକ ଗୁରୁଗ୍ରାମର ମନ୍ଦିରରେ ଆଶ୍ରୟ ନେଇଛନ୍ତି । ରାଜ୍ୟର ଏପରି ହିଂସାକାଣ୍ତକୁ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର । ଦୋଷୀଙ୍କୁ କଠୋର କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।