ଜଗଦେବଙ୍କ ଦାଦାଗିରି: ପୁଲିସ ଲଜ କରୁନି ଏଫଆଇଆର
ଭୁବନେଶ୍ୱର: କୁଆଡେ ଗଲେ ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ? ୨ ଦିନ ହେଲା ପୁଲିସ ଖୋଜି ଖୋଜି ନୟାନ୍ତ, ମିଳୁନି ତାଙ୍କ ପତ୍ତା । କଣ ଅଣ୍ଡରଗ୍ରାଉଣ୍ଡ ହୋଇଗଲେ କି ବାହୁବଳୀ? ତେବେ ଶାସକ ଦଳର ବିଧାୟକ ହୋଇ କାହାକୁ ବା ଡର? କଣ ଦଳରେ ତାଙ୍କୁ ଫସାଇବାକୁ ହୋଇଛି ଷଡଯନ୍ତ୍ର ?
ବୁଧବାର ଅପରାହ୍ନରେ ବାହୁବଳୀ ଚିଲିକା ବିଧାୟକ ପ୍ରଶାନ୍ତଙ୍କ ଦମଦାର ଦବଙ୍ଗଗିରି ଦେଖିବାକୁ ମିଳିଥିଲା । ବାହୁବଳୀ ନିଜ ଶକ୍ତି ପ୍ରଦର୍ଶନ କରିଥିଲେ ବାଲୁଙ୍ଗାଁ ଏନଏସି ସମ୍ମୁଖରେ । ବାଲୁଙ୍ଗାଁ ଏନଏସିରେ ଭତ୍ତା ଓ ପିଏମ ଆବାସ କାର୍ଯ୍ୟାଦେଶ ବଣ୍ଟନ ପାଇଁ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ବିଧାୟକଙ୍କ ଉପସ୍ଥିତିକୁ ନେଇ ବିଜେପି ବିରୋଧ କରିଥିଲା । ବାଲୁଗାଁ ନଗର ମଣ୍ଡଳ ବିଜେପି ସଭାପତି ନିରଞ୍ଜନ ସେଠୀ ଓ ତାଙ୍କ ସମର୍ଥକମାନେ ଏହାକୁ ବିରୋଧ କରିଥିଲେ । ଏଥିରେ ଉତ୍କ୍ଷିପ୍ତ ହୋଇଉଠିଥିଲେ ବିଧାୟକ । କାରଣ ସେ ସ୍ଥାନୀୟ ଅଞ୍ଚଳର ବିଧାୟକ, ତା ଉପରେ ପୁଣି ତାଙ୍କ ଦଳ ରାଜ୍ୟ ଶାସନରେ । ତାଙ୍କୁ ପୁଣି ବିରୋଧ! ତାତି ଉଠିଥିଲା ବିଧାୟକଙ୍କ ରକ୍ତ । ରକ୍ତ ତାତିବା ବି ସ୍ୱାଭାବିକ । ଏକେତ ଯୁବା ବୟସ, ଦୁଇରେ ପୁଣି ପାୱାରରେ । ଆଉ ସମ୍ଭାଳି ପାରିଲେନି ନିଜକୁ । ନିରଞ୍ଜନ ତଥା ବିଜେପି କର୍ମୀଙ୍କୁ ଧକ୍କା ପେଲା କରିବା ସହ ନାନା ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ । ଏମିତି କି ଆମ ଚିଲିକା ସାମ୍ବାଦିକ ତାଙ୍କ ମୋବାଇଲରେ ଘଟଣାର ଭିଡିଓ ରେକର୍ଡିଂ କରୁଥିବାରୁ ତାଙ୍କଠାରୁ ମୋବାଇଲ ଛଡାଇ ନେଇଥିଲେ ଓ ତାଙ୍କୁ ମଧ୍ୟ ପେଲାଠେଲା କରିଥିଲେ । ଏତିକିରେ ରାଗ ଶାନ୍ତ ହେଲାନି ଯେ ଆମ ସାମ୍ବାଦିକଙ୍କ ପ୍ରତି ଜାତିଗତ ଅକ୍ଷେପ କରିବା ସହ ନାନା କୁଭାଷା ପ୍ରୟୋଗ କରିଥିଲେ ।
କିନ୍ତୁ ଦୁର୍ଭାଗ୍ୟ, ତାଙ୍କ ଦବଙ୍ଗଗିରିର ଭିଡିଓ ସେଠାରେ ଉପସ୍ଥିତ ଅନ୍ୟ ସାମ୍ବାଦିକମାନେ ରେକର୍ଡ କରିନେଇଥିଲେ । ବିଭିନ୍ନ ଗଣମାଧ୍ୟମରେ ଭିଡିଓ ବାଜିବା ସହ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହୋଇଯାଇଥିଲା । ଏହାକୁ ନେଇ ସୁପ୍ରିମୋ ତାଙ୍କୁ ଦଳରୁ ନିଲମ୍ବନ କରିଲେ । ଅନ୍ୟପଟେ, ନିରଞ୍ଜନ ସେଠୀଙ୍କ ପକ୍ଷରୁ ଏକ ଏଫଆଇଆର ବାଲୁଙ୍ଗା ଥାନାରେ ପଞ୍ଜିକରଣ ହୋଇଥିଲା । କିନ୍ତୁ ଆମ ସାମ୍ବାଦିକଙ୍କ ମୋବାଇଲ ଛଡାଇବାକୁ ନେଇ ଦିଆଯାଇଥିବା ଏଫଆଇଆରକୁ ପୁଲିସ ଲଜ ନ କରି ଷ୍ଟେସନ ଡାଇରୀ କରିଛି । ତେବେ କାହିଁକି ସାମ୍ବାଦିକଙ୍କ ଏଫଆଇଆର ଲଜ କରାଯାଇନାହିଁ? ଏସଡିପିଓ କହୁଛନ୍ତି, ଠିକ ଅଛି ମୋବାଇଲ ଆଣି ଦେଇଦେବି । ଘଟଣାକୁ ୨ ଦିନ ବିତିଯାଇଥିଲେ ମଧ୍ୟ ସାମ୍ବାଦିକଙ୍କୁ ତାଙ୍କ ମୋବାଇଲ ମିଳୁନାହିଁ ।
ଅନ୍ୟପଟେ ବିଜେପି ପକ୍ଷରୁ ଏଫଆଇଆର ଓ ଗିରଫଦାରି ଦାବିକୁ ଦେଇ ପୁଲିସ ବିଧାୟକଙ୍କୁ ଗିରଫ କରିବାକୁ ଖୋଜୁଛି । ବିଧାୟକଙ୍କ ଘରକୁ ପୁଲିସ ଯାଇଥିବା ବେଳେ କିନ୍ତୁ ତାଙ୍କ ଖୋଜଖବର ମିଳିନି । ପୁଲିସ ଉଭୟ ଚିଲିକା ଓ ଭୁବନେଶ୍ୱର ବାସଭବନରେ ବିଧାୟକଙ୍କୁ ଖୋଜି ସାରିଲାଣି । କୋଉଠିବି ବିଧାୟକଙ୍କ ପତ୍ତା ମିଳୁ ନାହିଁ । ତେବେ ବିଧାୟକ ଗଲେ କୁଆଡେ? ସତରେ ପୁଲିସ ତାଙ୍କୁ ଖୋଜୁଛି ନା ମିଛଟାରେ ଡ୍ରାମା କରୁଛି? କାରଣ ଶାସକ ଦଳର ବହୁ ମନ୍ତ୍ରୀ ତଥା ବିଧାୟକଙ୍କ ନାମରେ ଏକାଧିକ ଅଭିଯୋଗ ଓ ମାମଲା ରହିଛି । ଏମିତି କି ହତ୍ୟା ପରି ଜଘନ୍ୟ ମାମଲା ମଧ୍ୟ ଆଇନ ମନ୍ତ୍ରୀଙ୍କ ନାମରେ ରହିଛି । କିନ୍ତୁ ପୁଲିସ ବା ଦଳ ଅନ୍ୟମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ବେଳେ ଜଗଦ୍ଦେବଙ୍କ ନାମରେ କଠୋର କାର୍ଯ୍ୟାନୁଷ୍ଠ।।ନ ନେବା ପଛରେ କି କାରଣ ରହିଛି? ନା ଦଳ ଅପେକ୍ଷା କରୁଥିଲା ଏମିତି କିଛି ସୁଯୋଗକୁ, ଯେଉଁଥିରେ ତାଙ୍କ ବିରୋଧରେ ନିଆଯାଇପାରିବ କାର୍ଯ୍ୟାନୁଷ୍ଠାନ? ତେବେ ଦେଖିôବାକୁ ରହିଲା କେବେ ପୁଲିସ ଜଗଦ୍ଦେବଙ୍କ ନିକଟରେ ପହଞ୍ଚୁଛି? ଦଳ ଆଗାମୀ ଦିନରେ ଆଉ କି ପଦକ୍ଷେପ ନେଉଛି ତାଙ୍କ ବିରୋଧରେ?