ନାବାଳିକାଙ୍କୁ ଅପହରଣ ପରେ ଦୁଷ୍କର୍ମ ଅଭିଯୋଗ : ଯୁବକ ଗିରଫ

ହିଞ୍ଜିଳି(ରଜନୀ କାନ୍ତ ପାତ୍ର): ମୁନିଗୁଡ଼ା ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ଅପହରଣ କରି ମନ୍ଦିରରେ ମିଛି ମିଛିକା ବାହାଘର ପରେ କରାଯାଇଛି ଦୁଷ୍କର୍ମ । ଏଭଳି ଏକ ଅଭାବନୀୟ ଘଟଣା ସ୍ଥାନୀୟ ଅଞ୍ଚଳରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଏ ନେଇ ନାବାଳିକାଙ୍କ ମା ହିଞ୍ଜିଳି ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଏନେଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛନ୍ତି ।
ମୁନିଗୁଡ଼ା ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ହିଞ୍ଜିଳିକାଟୁର ପରଦେଶୀ ଜାନୁୟାରୀ ୨୮ ତାରିଖରେ ଅପହରଣ କରି ଭୂବନେଶ୍ୱରର ଏକ ମନ୍ଦିରରେ ଜୋର ଜବରଦସ୍ତ ବିବାହ କରିଥିଲେ । ଏହାପରେ ପୁରୀ ଆସି ୨ ଦିନ ରହିବା ପରେ ଦୁହେଁ ପୁଅ ଘରକୁ ଫେରିଥିଲେ । ପୁଅ ଘରେ କିଛି ଦିନ ରହିବା ପରେ ପରିବାର ସହ ଅଶାନ୍ତି ଲାଗି ରହିବାରୁ ଦୁହେଁ ଗୁଜୁରାଟ ରାଜ୍ୟର ସୁରତ ଚାଲି ଯାଇଥିଲେ । ତେବେବ ଚଳିତ ମାସ ୧୩ ତାରିଖରେ ଦୁହେଁ ସୁରତରୁ ଫେରି ଝିଅଘର ଗ୍ରାମ ମୁନିଗୁଡ଼ା ଥାନା ଅଞ୍ଚଳକୁ ଯାଇଥିଲେ । କିନ୍ତୁ ବସଷ୍ଟାଣ୍ଡରେ ପହଞ୍ଚିବା ପରେ ଶୌଚ କରିବାକୁ ଯିବାକୁ କହି ନାବାଳିକାଙ୍କୁ ବସଷ୍ଟାଣ୍ଡରେ ଏକୁଟିଆ ଛାଡ଼ି କେଉଁଆଡ଼େ ଫେରାର ହୋଇଯାଇଥିଲେ ପରଦେଶୀ । ବହୁ ସମୟ ଧରି ଯୁବକ ଜଣକ ନଫେରିବାରୁ ନାବାଳିକା ଜଣଙ୍କ ବାପା ଘରକୁ ଯାଇ ଘଟଣା ନେଇ ମାଙ୍କୁ କହିଥିଲେ । ଏହାପରେ ଘଟଣା ନେଇ ନାବାଳିକାଙ୍କ ମା ୧୩ ତାରିଖ ସନ୍ଧ୍ୟାରେ ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି କେସ ନଂ-୪୨୪/୨୧ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା ହିଞ୍ଜିଳି ଥାନା ପୋଲିସ ।
ଗୁରୁବାର ଅଭିଯୁକ୍ତ ପରଦେଶୀକୁ ପୋଲିସ ଗିରଫ କରିବା ପରେ ଉଭୟଙ୍କ ଡାକ୍ତରୀ ମାଇନା କରାଇଛି । ଏହାପରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା କହିଛନ୍ତି ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ ।