ନାବାଳିକାକୁ ନିଆଁ ଲଗାଇଦେବା ଘଟଣା: ଉଦ୍ଧାର କରିଥିବା ବ୍ୟକ୍ତିଙ୍କ ଚାଞ୍ଚଲ୍ୟକର ବୟାନ

ପିପିଲି: ପିପିଲି ବଳଙ୍ଗା ପୀଡ଼ିତାଙ୍କୁ ଉଦ୍ଧାର କରିଥିବା ବ୍ୟକ୍ତିଙ୍କ ଚାଞ୍ଚଲ୍ୟକର ବୟାନ । ଝିଅଟି ଜଳୁଥିବା ଅବସ୍ଥାରେ ବଞ୍ଚାଅ ବଞ୍ଚାଅ କହି ଦୌଡ଼ି ଆସିଲା । ମୋ ଘର ଭିତରକୁ ପଶି ଆସିବାରୁ ତୁରନ୍ତ ନିଆଁ ଲିଭାଇ ପାଣି ଦେଲି । ପୂରା ଶରୀର ପୋଡ଼ି ଯାଇଥିଲା । ସଙ୍ଗେ ସଙ୍ଗେ ନିଆଁ ଲିଭାଇ ଡ୍ରେସ୍‌ ପିନ୍ଧାଇଲି । ମୁହଁରେ ରୁମାଲ ପକାଇ ୩ ଜଣ ଦୁର୍ବୃତ୍ତ ବାଇକ୍‌ରେ ନେଇ ଆସିଥିଲେ ବୋଲି କହିଲା ଛାତ୍ରୀ ଜଣଙ୍କ । ବହି ଦେବାକୁ ଆସି ଫେରିଲା ବେଳେ ଏପରି ଘଟଣା ଘଟିଛି କହିଲା । ସେମାନେ କିଏ ପଚାରିବାରୁ ଚିହ୍ନିନି ବୋଲି ମୋତେ କହିଛି ପୀଡିତା ଝିଅ ।

ଅନ୍ୟପଟେ ପିପିଲି ବଳଙ୍ଗା ଘଟଣାରେ ଘଟଣାସ୍ଥଳରୁ ୨ଟି ଅଧା କିରାସିନି ବୋତଲ ଜବତ କରିଛି ପୋଲିସ । ସନ୍ଧାନୀ କୁକୁର ସହାୟତାରେ ୨ଟି କିରୋସିନ ବୋତଲ ସହ ନାବାଳିକାର ପୋଡ଼ା କପଡ଼ା ମଧ୍ୟ ଜବତ କରିଛି ଫୋରେନସିକ୍‌ ଟିମ୍‌ । ଘଟଣାସ୍ଥଳରୁ ଦିଆସିଲି ମଧ୍ୟ ମିଳିଥିବା ନେଇ ସୂଚନା ମିଳିଛି । ନିମାପଡ଼ା ବଳଙ୍ଗା ବାଇଆବର ଅଞ୍ଚଳରେ ଛାତ୍ରୀ ଜଣକ ଚାଲିଚାଲି ସାଙ୍ଗ ଘରୁ ଯାଉଥିବାବେଳେ ଦୁର୍ବୃତ୍ତମାନେ ତାଙ୍କୁ ଅଟକାଇ ଗାଁ ପାଖ ନଦୀ ବନ୍ଧକୁ ଉଠାଇ ନେଇଥିଲେ। ସେଠାରୁ ମୁକୁଳିବାକୁ ଚେଷ୍ଟା କରୁଥିବା ବେଳେ ଯୁବତୀଙ୍କ ଦେହରେ ନିଆଁ ଲଗାଇ ଦେଇଥିଲେ ଅଭିଯୁକ୍ତ। ଏହାପରେ ସେଠାରୁ ଚମ୍ପଟ ମାରିଥିଲେ।

ଘଟଣା ପରେ ନାବାଳିକାଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ବର ଏମ୍ସରେ ଭର୍ତ୍ତି କରାଯାଇଛି। ନାବାଳିକାଙ୍କ ଶରୀର ୭୦% ପୋଡ଼ିଯାଇଛି ! ଭୁବନେଶ୍ବର ଏମ୍ସ ଟ୍ରମା କେୟାରରୁ ବର୍ଣ୍ଣ ୟୁନିଟ୍ କୁ ସ୍ଥାନାନ୍ତରିତ ହୋଇଛି । ସ୍ବତନ୍ତ୍ର ଡାକ୍ତରୀ ଟିମ୍ ଦ୍ବାରା ଚିକିତ୍ସା ଆରମ୍ଭ ହୋଇଛି । ସେପଟେ ଏମ୍ସରେ ନାବାଳିକାର ଚିକିତ୍ସା ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର ବୋଲି ସୂଚନା ଦେଇଛନ୍ତି ପ୍ରଭାତୀ ପରିଡା। ଏମ୍ସ ଯାଇ ପୀଡ଼ିତାଙ୍କୁ ଭେଟିବେ ଉପମୁଖ୍ୟମନ୍ତ୍ରୀ। ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ଖବର ଶୁଣି ମୁଁ ବ୍ୟଥିତ ଓ ମର୍ମାହତ। ପିଡୀତାଙ୍କୁ AIIMS ସ୍ଥାନାନ୍ତରିତ କରାଯାଇଛି। ଚିକିତ୍ସାର ସମସ୍ତ ଖର୍ଚ୍ଚ ସରକାର ବହନ କରିବେ। ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ।