ଅନୁଗୁଳ (ଜ୍ୟୋତିରଞ୍ଜନ ଧର): ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ପୁରୁଣା କ୍ୱାର୍ଟର ଭଙ୍ଗା ବେଳେ ଏକ କ୍ଵାଟରରୁ ଲକ୍ଷାଧିକ ଟଙ୍କାର ସରକାରୀ ଏକ୍ସପାରି ଔଷଧ ମିଳିଛି । ସମ୍ପୃକ୍ତ କ୍ଵାର୍ଟରଟି ଜଣେ ଅବସରପ୍ରାପ୍ତ ଫର୍ମାସିଷ୍ଟଙ୍କର ଥିଲା ବୋଲି ଜଣା ପଡିଛି ।
ଗତକାଲି ସନ୍ଧ୍ୟାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କ୍ଵାଟର ପରିସରରେ ଥିବା ଏକ ସରକାରୀ କ୍ଵାଟର ଭଙ୍ଗା ଯାଉଥିଲା । ତେବେ ଏହି କ୍ଵାର୍ଟର ଭାଙ୍ଗିବା ବେଳେ ଭିତରୁ ଲକ୍ଷାଧିକ ଟଙ୍କାର ଶିଶୁ ମାନଙ୍କ ପାଇଁ ଉଦ୍ଦିଷ୍ଟ ଏକ୍ସପାରି ଆଇରନ , ଫଲିକ ଏସିଡ ଏବଂ ଭିଟାମିନ ମିଳିଥିଲା । ଏତେ ପରିମାଣରେ ମେଡ଼ିସିନ କିଏ ଏବଂ କାହିଁକି ଏହି କ୍ଵାର୍ଟରରେ ଗଚ୍ଛିତ ରଖିଥିଲା ତାହା ଏବେ ବଡ ପ୍ରଶ୍ନ ସୃଷ୍ଟି କରିଛି । ଅନୁଗୁଳ ଜିଲ୍ଲା ସିକିଲସେଲ ଓ ହେମୋଫିଲିଆ ପ୍ରବଣ ଅଞ୍ଚଳ ହୋଇଥିବାରୁ ଏଠାକାର ଅନେକ ଲୋକ ରକ୍ତହୀନତାର ଶିକାର ହୋଇଥାନ୍ତି । ଏଥିପାଇଁ ସରକାର ଆଇରନ , ଫଲିକ ଏସିଡ ଏବଂ ଭିଟାମିନ ମାଗଣା ବାଣ୍ଟିବା ପାଇଁ ଦେଇଥିଲେ । ତେବେ ଆଜି ଏତେ ପରିମାଣର ମେଡ଼ିସିନ ମିଳିବା ପରେ ଏହି ସବୁ ଔଷଧ ସ୍ୱାସ୍ଥ୍ୟ ପ୍ରଶାସନ ପକ୍ଷରୁ ସଠିକ ଭାବେ ବଣ୍ଟା ଯାଇ ନଥିବା ସ୍ପଷ୍ଟ ହୋଇଛି । ଏହାପରେ ଜଣେ ଫାର୍ମାସିଷ୍ଟ ନିଜ ଘରେ ଏଭଳି ଲକ୍ଷ ଲକ୍ଷ ଟଙ୍କାର ସରକାରୀ ଔଷଧ ଗଚ୍ଛିତ ରଖିବା ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହି ଘଟଣାର ତଦନ୍ତ କରି ଅଭିଯୁକ୍ତ ବିରୁଦ୍ଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ନେବାକୁ ବିଭିନ୍ନ ମହଲରେ ଦାବୀ ହେଉଛି ।