ନୂଆଦିଲ୍ଲୀ-: ପହଲଗାମର ବୈସରନ ଉପତ୍ୟକାରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବେ ଆକ୍ସନ ମୋଡ଼କୁ ଆସିଛି। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ବୈସରନ ଉପତ୍ୟକାର ଆତଙ୍କବାଦୀଙ୍କୁ ନିପାତ କରାଯିବ। ଅନ୍ୟପଟେ ଭାରତୀୟ ସେନା ସହିତ ନୌସେନା ଏବଂ ବାୟୁସେନା ଯେ କୌଣସି ପରିସ୍ଥିତି ପାଇଁ ନିଜକୁ ପ୍ରସ୍ତୁତ କରିବାରେ ଲାଗିଛନ୍ତି। ଭାରତର ଏହି କଠୋର ମନୋଭାବ ଦେଖି ଆତଙ୍କବାଦୀଙ୍କ ଆଶ୍ରୟ ସ୍ଥଳ ପାକିସ୍ତାନରେ ଚହଳ ପଡ଼ିଛି। ତେବେ ପାକିସ୍ତାନ ଉପରେ ଆଟାକ ପୂର୍ବରୁ ଭାରତ ସିନ୍ଧୁ ଜଳ ଚୁକ୍ତିକୁ ସ୍ଥଗିତ କରିଛି। ଯାହା ପାକିସ୍ତାନକୁ ଅଧିକ ଛାନିଆ କରିଦେଇଛି। ଏପରି ସ୍ଥିତିରେ ପାକିସ୍ତାନ ଭାବୁଛି ଯଦି ଭାରତ ପୂର୍ଣ୍ଣ ଶକ୍ତି ସହ ଆକ୍ରମଣ କରେ, ତେବେ ଆମର କ’ଣ ଅବସ୍ଥା ହେବ? ଭାରତୀୟ ସେନା ନିଜର ପ୍ରସ୍ତୁତିକୁ ଜୋରଦାର କରିବା ସହ ଆନ୍ତର୍ଜାତୀୟ ସୀମାରେ ବୃହତ୍ ସାମରିକ ଅଭ୍ୟାସ କରିଛି। ସେନା ପାକିସ୍ତାନ ସୀମା ନିକଟରେ ଘାତକ ଅର୍ଜୁନ ଟ୍ୟାଙ୍କ ସହ ଅଭ୍ୟାସ କରିଛି। ଆଉ ଏପରି ଦେଖି ପାକିସ୍ତାନର ନିଦ ହଜିଯାଇଛି। ଏପଟେ ପିଓକେରେ ଏକପ୍ରକାର ଏମର୍ଜେନ୍ସି ସ୍ଥତି ଦେଖାଦେଲାଣି। ସେହିପରି ଭାରତୀୟ ନୌସେନା ମଧ୍ୟ ଯୁଦ୍ଧାଭ୍ୟାସ ଚଳାଇଛି। ନୌସେନାର ଜାହାଜ, କ୍ଷେପଣାସ୍ତ୍ର ଏବଂ ଓ୍ବିପନ ସିଷ୍ଟମଗୁଡ଼ିକୁ ପରୀକ୍ଷଣ କରାଯାଇ ଆରବ ସାଗରରେ ଘନଘନ କ୍ଷେପଣାସ୍ତ୍ର ପରୀକ୍ଷଣ ଜାରି ରହିଛି।