ପାକିସ୍ତାନରେ ପ୍ରତିଷ୍ଠା ହେବ ମିଲିଟାରୀ କୋର୍ଟ

ଲାହୋର: ପାକିସ୍ତାନରେ ମିଲିଟାରୀ କୋର୍ଟଗୁଡିକୁ ପୁନଃକାର୍ୟ୍ୟକ୍ଷମ କରିବା ଲାଗି ଚିନ୍ତା କରୁଛନ୍ତି ସରକାର । ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ସୁପ୍ରିମକୋର୍ଟ ସମେତ ଅନ୍ୟାନ୍ୟ କୋର୍ଟ ସୁରକ୍ଷା ଦେଉଥିବା ଅଭିଯୋଗ ହେଉଛି । ସେଥିପାଇଁ ସରକାର ଏକ ଆଇନ ଆଣି ମିଲିଟାରୀ କୋର୍ଟ ପ୍ରତିଷ୍ଠା କରିବାକୁ ଚିନ୍ତା କରୁଛନ୍ତି । ୨୦୧୪ ମସିହା ଡିସେମ୍ବର ୧୬ ତାରିଖରେ ପେଶଓ୍ବାରର ଏକ ଆର୍ମି ପବ୍ଲିକ ସ୍କୁଲରେ ପାକିସ୍ତାନୀ ତାଲିବାନୀମାନେ ଆଖିବୁଜା ଗୁଳିମାଡ କରିବା ଫଳରେ ୧୩୪ ଜଣ ଛାତ୍ରଛାତ୍ରୀ ପ୍ରାଣ ହରାଇଥିଲେ । ସେହି ଘଟଣାକୁ ନେଇ ପାକିସ୍ତାନ ସରକାର ୨୦୧୫ରେ ମିଲିଟାରୀ କୋର୍ଟ ପ୍ରତିଷ୍ଠା କରିଥିଲେ । ସ୍ବତନ୍ତ୍ର ଆଇନ ବଳରେ ତିଆରି ହୋଇଥିବା ଏହି କୋର୍ଟର ଅବଧି ପ୍ରତି ୨ ବର୍ଷରେ ନବୀକରଣ ହେବାର ଆବଶ୍ୟକତା ରହିଛି । ଗତ ଜାନୁଆରୀ ୭ରେ ଏହାର ଅବଧି ଶେଷ ହୋଇଥିବାରୁ ଏହାକୁ ପୁନଃକାର୍ୟ୍ୟକ୍ଷମ କରିବା ଲାଗି ଯୋଜନା କରିଛନ୍ତି ସରକାର । ଏହି କୋର୍ଟଗୁଡିକ ଜରିଆରେ ଅନେକ ମୃତ୍ୟୁ ଦଣ୍ଡାଦେଶ ଦିଆଯାଉଥିବାରୁ ସରକାର ଏହା ଉପରେ ଭରସା ରଖିଛନ୍ତି।