କୁଲଗାମରେ ସାଧାରଣ ଲୋକଙ୍କୁ ହତ୍ୟା କରୁଛନ୍ତି ଆତଙ୍କବାଦୀ

କିଛି ଦିନ ବ୍ୟବଧାନ ପରେ ପୁଣିଥରେ ଅଶାନ୍ତ ହୋଇ ଉଠିଛି ଜମ୍ମୁ-କଶ୍ମୀର।

(ଜମ୍ମୁ-କଶ୍ମୀର) : କିଛି ଦିନ ବ୍ୟବଧାନ ପରେ ପୁଣିଥରେ ଅଶାନ୍ତ ହୋଇ ଉଠିଛି ଜମ୍ମୁ-କଶ୍ମୀର। ଲଗାତାର ଭାବେ କୁଲଗାମରେ ଜଣଙ୍କ ପରେ ଜଣେ ସାଧାରଣ ଲୋକଙ୍କୁ ହତ୍ୟା କରୁଛନ୍ତି ଆତଙ୍କବାଦୀ।

ଗୁରୁବାର ମଧ୍ୟାହ୍ନରେ କୁଲଗାମରେ କାମ କରୁଥିବା ରାଜସ୍ଥାନର ଜଣେ ବ୍ୟାଙ୍କ ମ୍ୟାନେଜରଙ୍କୁ ଆତଙ୍କବାଦୀମାନେ ଗୁଳି କରି ହତ୍ୟା କରିଥିଲେ। ଏହାର କିଛି ଘଣ୍ଟା ପରେ ଅର୍ଥାତ ଗୁରୁବାର ରାତିରେ ଆତଙ୍କବାଦୀମାନେ ୨ ଜଣ ପ୍ରବାସୀ ଶ୍ରମିକଙ୍କୁ ଗୁଳି ମାଡ଼ କରିଛନ୍ତି। ଏଥିରେ ଜଣେ ପ୍ରାଣ ହରାଇଥିବା ବେଳେ ଆଉ ଜଣେ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି। କଶ୍ମୀରର ବଡ଼ଗାମରେ ଏହି ଘଟଣା ଘଟିଛି।

ସୂଚନାନୁଯାୟୀ, କେନ୍ଦ୍ରୀୟ କଶ୍ମୀରର ଛାଦୋର ଅନ୍ତର୍ଗତ ମାଗରାୟପୋରା ଠାରେ ଥିବା ଗୋଟିଏ ଇଟା ଭାଟିରେ କାମ କରୁଥିବା ଦୁଇ ଜଣ ପ୍ରବାସୀ ଶ୍ରମିକଙ୍କୁ ଆତଙ୍କବାଦୀମାନେ ଗୁଳି କରିଥିଲେ। ଗୁଳିମାଡ଼ ପରେ ସେମାନଙ୍କୁ ଏସଏମଏଚ୍‌ଏସ୍‌ ହସ୍ପିଟାଲ ନିଆ ଯାଇଥିଲା। ହେଲେ ସେଠାରେ ଜଣଙ୍କର ମୃତ୍ୟୁ ଘଟିଛି।