୪୫ଟି ବ୍ୟାଗରୁ ମଣିଷ ଶରୀରର ଖଣ୍ଡବିଖଣ୍ଡିତ ଅଂଶ ଜବତ କଲା ମେକ୍ସିକୋ ପୋଲିସ

ମେକ୍ସିକାନ୍ ରାଜ୍ୟ ଜଲିସ୍କୋରେ ନିଖୋଜ ଥିବା ୭ ଯୁବକଙ୍କୁ ଖୋଜୁଥିବା ବେଳେ ଗତକାଲି ପୋଲିସକୁ ମିଳିଛି ୪୫ଟି ବ୍ୟାଗ୍, ଯେଉଁଥିରେ ମଣିଷ ଶରୀରର ଖଣ୍ଡବିଖଣ୍ଡିତ ଅଂଶ ଥିବା ପୋଲିସ ଦେଖିବାକୁ ପାଇଛି। ଏହି ସମସ୍ତ ବ୍ୟାଗ୍ ଏକ ବିରାଟ ଗର୍ତ୍ତ ଭିତରୁ ମିଳିଛି। ଜଲିସ୍କୋ ପୋଲିସ ଏକ ବୟାନ ଜାରି କରି କହିଛି ଯେ, ପୋଲିସର ତଦନ୍ତ ସମୟରେ ମଣିଷର ଖଣ୍ଡବିଖଣ୍ଡିତ ଅଙ୍ଗପ୍ରତ୍ୟେଙ୍ଗ ଭର୍ତ୍ତି ଥିବା ୪୫ଟି ବ୍ୟାଗ୍ ୧୨୦ ଫୁଟ୍ ଗଭୀର ଗର୍ତ୍ତ ଭିତରୁ ଜବତ କରାଯାଇଛି । ଏଗୁଡ଼ିକ ଉଭୟ ପୁରୁଷ ଏବଂ ମହିଳାଙ୍କର।

ପୋଲିସ ସୂଚନା ମୁତାବକ, ଏହି ଅଞ୍ଚଳରେ ଏକ କଲ୍ ସେଣ୍ଟର ରହିଛି, ଯାହା ନିକଟରୁ ପୋଲିସ ମଣିଷ ଶରୀରର ଖଣ୍ଡବିଖଣ୍ଡିତ ଅଂଶ ଜବତ କରିଛି। ଯଦିଓ ଫରେନ୍ସିକ ବିଶେଷଜ୍ଞ ଟିମ୍ ଏ ପର୍ୟ୍ୟନ୍ତ ପୀଡ଼ିତମାନଙ୍କ ସଂଖ୍ୟା ଏବଂ ସେମାନଙ୍କ ପରିଚୟ ସମ୍ପର୍କରେ ସ୍ପଷ୍ଟ ସୂଚନା ଦେଇନାହିଁ। ପ୍ରାଥମିକ ତଦନ୍ତରୁ ଜାଣିବାକୁ ମିଳିଛି ଯେ ଏହି କଲ୍ ସେଣ୍ଟରରେ ଅବୈଧ କାର୍ୟ୍ୟ କରାଯାଉଥିଲା। ଅଧିକାରୀମାନଙ୍କୁ ଘଟଣାସ୍ଥଳରୁ ଗଞ୍ଜେଇ ଏବଂ ରକ୍ତଦାଗ ଥିବା କପଡ଼ା ମିଳିଛି। ୨୦୨୧ ମସିହାରେ ଜଲିସ୍କୋର ଟୋନାଲା ନଗର ପାଳିକାରେ ୧୧ ଜଣ ମଣିଷଙ୍କ ଶରୀରର ଅଙ୍ଗପ୍ରତ୍ୟେଙ୍ଗ ୭୦ଟି ବ୍ୟାଗ୍ରୁ ମିଳିଥିଲା। ଏହା ପୂର୍ବରୁ ୨୦୧୯ରେ ଜାପୋପନ୍ର ଏକ ନିଛାଟିଆ ଜାଗାରୁ ୧୧୯ଟି ବ୍ୟାଗ୍ରୁ ୨୯ ଜଣଙ୍କ ମୃତଦେହ ମିଳିଥିଲା। ଗତ କିଛି ବର୍ଷ ହେବ ପୋଲିସ ଜଲିସ୍କୋ ଆଖପାଖ ଅଞ୍ଚଳରୁ ମଣିଷ ଶରୀରର ଖଣ୍ଡବିଖଣ୍ଡିତ ଅଂଶ ଜବତ କରୁଛି।