ଶିଶୁ ସୁରକ୍ଷା ଓ ବାଲ୍ୟ ବିବାହ ନିରାକରଣ ନିମନ୍ତେ ବୈଠକ

ବୀରମହାରାଜପୁର:ବୀରମହାରାଜପୁର ବ୍ଲକ ପ୍ରଶାସନ ଓ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ବୀରମହାରାଜପୁର ବ୍ଲକ ସଭାଗୃହ ଠାରେ ଶିଶୁସୁରକ୍ଷା ଓ ବାଲ୍ୟବିବାହ ନିରାକରଣ ନିମନ୍ତେ  ସମସ୍ତ ପଞ୍ଚାୟତର ସରପଞ୍ଚଙ୍କ ସହ ସୁବର୍ଣ୍ଣପୁର ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ସୁବର୍ଣ୍ଣପୁର ଜିଲ୍ଲାପାଳ ଅବୋଲି ସୁନୀଲ ନରୱଣେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ  ଜିଲ୍ଲପାଳ ବ୍ଲକ ସ୍ତରରେ  ଶିଶୁସୁରକ୍ଷା ଓ ବାଲ୍ୟବିବାହ ସମ୍ପର୍କରେ ଉପସ୍ଥିତ ସରପଞ୍ଚଙ୍କ ସହ ଆଲୋଚନା କରି ଜିଲ୍ଲାରେ ବାଲ୍ୟବିବାହ ଓ କିଶୋରୀ ମାତୃତ୍ୱକୁ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ସ୍ଥାନୀୟ ଜନପ୍ରତିନିଧି/ ସରପଞ୍ଚ ମାନଙ୍କ ଆନ୍ତରିକ ସହଯୋଗ କାମନା କରିଛନ୍ତି । ଏହାସହିତ ଅଧାରୁ ପାଠ ଛାଡିଥିବା କିଶୋର କିଶୋରୀ ମାନଙ୍କୁ କିପରି ପୁନର୍ବାର ବିଦ୍ୟାଳୟକୁ ଫେରାଇ ଅଣାଯିବ ତାଉପରେ ଗୁରୁତ୍ୱାରୋପ  କରି ସବୁ ସ୍ତରରେ ଯତ୍ନବାନ ହେବାକୁ ପରାମର୍ଶ ଦେଇଛନ୍ତି।

ବାଲ୍ୟବିବାହ ତଥା କିଶୋରୀ ମାତୃତ୍ୱକୁ ଗୁରୁତ୍ୱାରୋପ ପୂର୍ବକ ସରପଞ୍ଚମାନେ ନିଜନିଜ ପଞ୍ଚାୟତ ସ୍ତରରେ ବିଭିନ୍ନ ବୈଠକ ଅନୁଷ୍ଠିତ କରି ସଚେତନତା କରିବା ସହ ପ୍ରତିମାସ ନିଜ ପଞ୍ଚାୟତରେ କୌଣସି ବାଲ୍ୟ ବିବାହ ହେଉନାହିଁ ବୋଲି ପ୍ରମାଣପତ୍ର ପ୍ରଦାନ କରିବାକୁ ପରାମର୍ଶ କରିଛନ୍ତି ।ବର୍ତ୍ତମାନ ଜିଲ୍ଲାର ଏହି ବୈଠକରେ ସୁବର୍ଣ୍ଣପୁର ପି.ଡିଡି.ଆର.ଡିଏ, ନିହାର ରଞ୍ଜନ କଁହର,ଉପଜିଲ୍ଲାପାଳ ବୀରମହାରାଜପୁର ଅଶୋକ ଭୋଇ,ବ୍ଲକ ଅଧ୍ୟକ୍ଷା ଶାନ୍ତି ଲୁହା ,ଗୋଷ୍ଟୀ ଉନ୍ନୟନ ଅଧିକାରୀ ମୋତିଲାଲ ସୁଲିଆ , ଜିଲ୍ଲା ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷ ମଧୁ ସୁଦନ ପ୍ରଧାନ,ଜିଲ୍ଲା ସମାଜ କଲ୍ୟାଣ ଅଧିକାରିଣୀ ଗୌରମଣୀ ହାଁସଦା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଚତୁର୍ଭୁଜ ଦାଶ,ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ, ସମସ୍ତ ସିଡିପିଓ, ସୁପରଭାଇଜର ତଥା ବ୍ଲକ ଅନ୍ତର୍ଗତ ସମସ୍ତ ସରପଞ୍ଚ, ଜିପିଇଓ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ ପୂର୍ବକ ଆଗାମୀ ଦିନରେ  ନିଜ ନିଜ ସ୍ତରରେ ସଶକ୍ତ ଭାବେ ପଦକ୍ଷେପ ନେଇ କାର୍ଯ୍ୟ କରିବା ଉପରେ ମତାମତ ପ୍ରଦାନ କରିଥିଲେ।