ଆଜି ସବୁ ଔଷଧ ଦୋକାନ ବନ୍ଦ

(ସୌମ୍ୟ ରଂଜନ ସେଠୀ) : ଭାରତୀୟ ବଜାରରେ ଅନ୍ତଃରାଷ୍ଟ୍ରୀୟ ବ୍ୟବସାୟୀଙ୍କ ପ୍ରବେଶ ଓ ଏଫ୍‌ଡିଆଇକୁ କ୍ୟାବିନେଟ୍‌ର ମଞ୍ଜୁରୀକୁ ବିରୋଧ କରି ଆଜି ସର୍ବଭାରତୀୟ ବ୍ୟବସାୟୀ ମହାସଂଘ ପକ୍ଷରୁ ଦେଶବ୍ୟାପୀ ଆନ୍ଦୋଳନ ଡାକରା ଦିଆଯାଇଛି। ଓଡ଼ିଶା ବ୍ୟବସାୟୀ ମହାସଂଘ ମଧ୍ୟ ଏହି ଧର୍ମଘଟରେ ସାମିଲ ହୋଇଛି। ଫଳରେ ଆଜି ରାଜ୍ୟର ସମସ୍ତ ଛୋଟ,ବଡ଼ ବ୍ୟବସାୟ ପ୍ରତିଷ୍ଠାନ ଆନ୍ଦୋଳନରେ ସାମିଲ ହେବେ ବୋଲି ରାଜ୍ୟ ବ୍ୟବସାୟୀ ସଂଘ ସଭାପତି ସୂଚନା ଦେଇଛନ୍ତି। ମାଲଗୋଦାମ, ସମସ୍ତ ରିଟେଲ କାଉଣ୍ଟର ଓ ମାଲ୍ ଲୋଡିଂ ଓ ଅନଲୋଡିଂ ମଧ୍ୟ ବନ୍ଦ ରଖାଯିବ। ଇ-ଫାର୍ମାସି ଓ ଅନଲାଇନ୍ ଔଷଧ ବିକ୍ରିକୁ ବିରୋଧ କରି ଅଖିଳ ଭାରତୀୟ ଔଷଧ ବ୍ୟବସାୟୀ ମହାସଂଘ ମଧ୍ୟ ୨୪ ଘଣ୍ଟିଆ ବନ୍ଦ ଡାକରା ଦେଇଛି।

ଆଜି ରାଜ୍ୟରେ ସମସ୍ତ ଔଷଧ ଦୋକାନ ବନ୍ଦ ରହିବ। ଅଖିଳ ଭାରତୀୟ ଔଷଧ ବ୍ୟବସାୟୀ ମହାସଂଘ ଡାକରାରେ ରାଜ୍ୟରେ ଆଜି ଔଷଧ ଦୋକାନ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି ଉତ୍କଳ କେମିଷ୍ଟ ଏଣ୍ଡ ଡ୍ରଗିଷ୍ଟ ଆସୋସିଏସନ୍। ଇ-ଫାର୍ମାସି ଓ ଅନଲାଇନରେ ଔଷଧ ବିକ୍ରିକୁ ବିରୋଧ କରି ଏହି ବନ୍ଦ ଡାକରା ଦିଆଯାଇଥିବା ଆସୋସିଏସନ୍ ପକ୍ଷରୁ କୁହାଯାଇଛି। ବନ୍ଦରେ ଜରୁରୀକାଳୀନ ସେବା ଯେପରି ବାଧାପ୍ରାପ୍ତ ନ ହୁଏ ସେଥିପାଇଁ ରାଜ୍ୟରେ ସମସ୍ତ ସରକାରୀ ଓ ବେସରକାରୀ ଡାକ୍ତରଖାନା ପରିସରରେ ଔଷଧ ଦୋକାନ ଖୋଲା ରହିବ। ଆଗାମୀ ଦିନରେ ଯଦି ସରକାର ଏଥିପ୍ରତି ଗୁରୁତ୍ବ ନ ଦିଅନ୍ତି ତେବେ ଗମ୍ଭୀର ପରିଣାମ ହେବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।