ଅନୁଗୁଳ (ଜ୍ୟୋତିରଞ୍ଜନ ଧର): ଅନୁଗୁଳ ତାଳଚେର ଏମସିଏଲର ବିଭିନ୍ନ କୋଇଲା ଖଣି ଦ୍ୱାରା ବିସ୍ଥାପିତଙ୍କ ଥଇଥାନ ଓ ଉନ୍ନୟନ ପାଇଁ ଦ୍ୱାଦଶ ପରାମର୍ଶଦାତା କମିଟି(ଆରପିଡିଏସି) ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ ଗୃହରେ ଅନୁଷ୍ଠିତ ଏହି ବୈଠକରେ ଉତ୍ତରାଞ୍ଚଳ ରାଜସ୍ୱ କମିଶନର ଅନିଲ କୁମାର ସାମଲ ଅଧ୍ୟକ୍ଷତା କରିଥିଲେ । ବୈଠକରେ ଢେଙ୍କାନାଳ ଲୋକସଭା ସାଂସଦ ମହେଶ ସାହୁ, ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ, ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରା, ଜିଲ୍ଲା ପରିଷଦ ଅଧ୍ୟକ୍ଷା ବାସନ୍ତୀ କିଷାନ, ଉତ୍ତର କେନ୍ଦ୍ରାଞ୍ଚଳ ଡିଆଇଜି ଡ. ସାର୍ଥକ ଷଡଙ୍ଗୀ, ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଏସ॰ପି॰ ଜଗମୋହନ ମୀନା, ଏମସିଏଲର ସିଏମଡି ପ୍ରଭାତ କୁମାର ସିହ୍ନା, ସମ୍ବଲପୁର ଲୋକସଭା ସାଂସଦଙ୍କ ପ୍ରତିନିଧି ପ୍ରମୁଖ ଯୋଗ ଦେଇଥିଲେ ।
ବୈଠକରେ ବହୁଦିନର ପୁରୁଣା ସମସ୍ୟା ସମ୍ପର୍କରେ ଆଲୋଚନା ହୋଇଥିଲା । ପୂର୍ବ ଆରପିଡିଏସିର ନିଷ୍ପତ୍ତି କାର୍ଯ୍ୟକାରୀ କରିବାରେ ବିଳମ୍ବ ଯୋଗୁଁ ରାଜସ୍ୱ କମିଶନର ଅସନ୍ତୋଷ ପ୍ରକାଶ କରିଥିଲେ । ତୁରନ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ କମ୍ପାନୀ କତ୍ତୃପକ୍ଷ, ଲୋକ ପ୍ରତିନିଧି ଓ ସ୍ଥାନୀୟ ବିସ୍ଥାପିତ ପରିବାରକୁ ନେଇ ଏକ କମିଟି ଗଠନ କରି ଆସନ୍ତା ୪ ମାସ ମଧ୍ୟରେ ନିଷ୍ପତ୍ତିଗୁଡିକୁ କାର୍ୟ୍ୟକାରୀ କରିବାକୁ ସ୍ଥିର କରାଯାଇଛି । ପ୍ରତି ବିସ୍ଥାପିତ ପରିବାରକୁ ପ୍ରଥମ କିସ୍ତିରେ ୫ ଲକ୍ଷ ଓ ଗାଁ ଛାଡିଲେ ଅବଶିଷ୍ଟ ୫ ଲକ୍ଷ ଭାବେ ୧୦ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଯୋଗାଇ ଦିଆଯିବ । କୋଇଲା ଉତ୍ତୋଳନ ପରେ ଖାଲି ରହୁଥିବା ସ୍ଥାନକୁ ବାଲି ପକାଇ ଏମସିଏଲ ତରଫରୁ ପୋତାଯିବା ସହ ପ୍ରତି ମାସରେ ଏହାର ରିପୋର୍ଟ ଜିଲ୍ଲା ପ୍ରଶାସନକୁ ପ୍ରଦାନ କରିବ ଏମସିଏଲ । ବ୍ରାହ୍ମଣୀ କୋଲ ଫିଲ୍ଡକୁ ତାଳଚେରକୁ ସ୍ଥାନାନ୍ତର କରି ଏକ କାର୍ଯ୍ୟାଳୟ ସ୍ଥାପନ କରିବାକୁ ପରାମର୍ଶ ଦିଆଯାଇଛି । ହେଁସମୂଳର ବିସ୍ଥାପିତଙ୍କୁ ତୁରନ୍ତ ବଲଣ୍ଡା ଥଇଥାନ ଓ ପୁନଃର୍ବାସ କଲୋନୀକୁ ସ୍ଥାନାନ୍ତର କରିବାକୁ ରାଜସ୍ଵ କମିଶନର ପରାମର୍ଶ ଦେଇଛନ୍ତି ।