ବ୍ୟୁରୋ-: ରାମନବମୀଙ୍କୁ ନେଇ ସାରା ରାଜ୍ୟ ଉତ୍ସବମୁଖର। ମର୍ଯ୍ୟାଦା ପୁରୁଷୋତ୍ତମଙ୍କୁ ଆଖି ପୂରେଇ ଦେଖି ନେବାର ଅଭୀପ୍ସା ହଜାର ହଜାର ଭକ୍ତଙ୍କୁ ମନ୍ଦିରକୁ ଟାଣିହୋଇ ଆସିଛନ୍ତି। ଆଜି ସକାଳୁ ଚଳଚଞ୍ଚଳ ହୋଇପଡ଼ିଛି ମଠ ଓ ମନ୍ଦିର । ମନ୍ଦିରକୁ ଭକ୍ତଙ୍କ ସୁଅ ଛୁଟିଛି । ଏଣୁ ଆଜି ଓଡ଼ିଶାର ସମସ୍ତ ରାମ ମନ୍ଦିର ଓ ବିଭିନ୍ନ ମଠରେ ଭିଡ଼ ପରିଲକ୍ଷିତ ହୋଇଛି ।
ପବିତ୍ର ଶ୍ରୀରାମ ନବମୀ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ସୋସିଆଲ ମିଡିଆ ପ୍ଲାଟପର୍ମ ରେ ପୋଷ୍ଟ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ପବିତ୍ର ଶ୍ରୀରାମ ନବମୀ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି । ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଙ୍କ ସତ୍ୟ, ଧର୍ମ, ନ୍ୟାୟ ଓ ଆଦର୍ଶକୁ ପାଥେୟ କରି ସମାଜର ମଙ୍ଗଳ କାର୍ଯ୍ୟରେ ନିଜକୁ ନିୟୋଜିତ କରିବା । ପ୍ରଭୁ ଶ୍ରୀରାମଙ୍କ ଆଶୀର୍ବାଦରେ ସମସ୍ତଙ୍କ ଜୀବନ ସୁଖ, ଶାନ୍ତିରେ ପରିପୂର୍ଣ୍ଣ ହେଉ ।