ଅନୁଗୋଳରେ ୯୨ ସେଣ୍ଟର ରେ ଆରମ୍ବ ହେଲା ମାଟ୍ରିକ୍ ପରୀକ୍ଷା

 ଅନୁଗୋଳ / ସୁଧାକର ସାହୁ:    ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ବାରା ପରିଚାଳିତ ଦଶମ ବାର୍ଷିକ ପରୀକ୍ଷା  ଆଜି ଠାରୁ ଆରମ୍ଭ ହେଇଯାଇଛି । ସକାଳ ୯ଟାରୁ ପରୀକ୍ଷା ଆରମ୍ଭ ହୋଇ ସାଢ଼େ ୧୧ଟା ପର୍ଯ୍ୟନ୍ତ ପରୀକ୍ଷା ହୋଇଛି । ଚଳିତ ବର୍ଷ ଅନୁଗୋଳ ଜିଲ୍ଲାରେ ନିୟମିତ ଭାବେ ୧୬,୭୧୩ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି । ସେହିପରି ଏକ୍ସ ରେଗୁଲାର୍ ଭାବେ ୫ଜଣ, ରାଜ୍ୟ ଓପନ୍‌ ସ୍କୁଲର ୩୫୬ ଜଣ ଓ ମଧ୍ୟମାରେ ୨୦ ଜଣ ପରୀକ୍ଷାର୍ଥୀ ରହିଛନ୍ତି । ଏଥିପାଇଁ ଅନୁଗୋଳ ଜିଲ୍ଲାରେ ୯୨ଟି ପରୀକ୍ଷା କେନ୍ଦ୍ର କରାଯାଇଛି । ଏଥିରୁ ୯ଟି ସମ୍ବେଦନଶୀଳ କେନ୍ଦ୍ର ଭାବେ ଚିହ୍ନଟ କରାଯାଇଛି । ପରୀକ୍ଷା ପରିଚାଳନା ପାଇଁ ୮ ଟି ନୋଡାଲ ସେଣ୍ଟର୍ କରାଯାଇଛି । ଏଠାରୁ ପ୍ରଶ୍ନପତ୍ର ବିଭିନ୍ନ ପରୀକ୍ଷା କେନ୍ଦ୍ରକୁ ପଠାଯିବା ସହ ଉତ୍ତରପତ୍ର ସଂଗ୍ରହ କରାଯିବ । ଏଥିପାଇଁ ୨୦ଟି ଡେସପ୍ୟାଚ୍ ଟିମ୍ ଗଠନ କରାଯାଇଛି । ପ୍ରଥମ ଦିନରେ ମାତୃଭାଷା ରହିଥିବାରୁ ପରୀକ୍ଷା ଦେବା ପାଇଁ ଛାତ୍ରଛାତ୍ରୀ ମାନେ ୭.୩୦ ବେଳେ ପରୀକ୍ଷା କେନ୍ଦ୍ର କୁ ପ୍ରବେଶ କରିଥିଲେ । ସେହି ଭଳି ଭିନ୍ନକ୍ଷମ ପରୀକ୍ଷାର୍ଥୀ ମଧ୍ୟ ପରୀକ୍ଷା ଦେଇଛନ୍ତି । ଭିନ୍ନକ୍ଷମ ପରୀକ୍ଷାର୍ଥୀଙ୍କ ପାଇଁ ଅଧିକ ଅଧଘଣ୍ଟା ସମୟ ଦିଆ ଯାଇଛି ଓ ସେମାନେ ଯେପରି ପରୀକ୍ଷା ଦେବାରେ କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ସେଥିପ୍ରତି ମଧ୍ୟ ବିଶେଷ ଧ୍ୟାନ ଦିଆଯାଇଛି ।