( ରିପୋର୍ଟସ ଟୁଡ଼େ): ଏଣିକି ୨୬ ସପ୍ତାହ ମାତୃତ୍ୱ ଛୁଟିରେ ରହୁଥିବା ଗର୍ଭବତୀ ମହିଳାମାନଙ୍କୁ ୭ ସପ୍ତାହ ଛୁଟିର ଦରମା ଦିଆଯିବା ପାଇଁ ପ୍ରସ୍ତାବ ଉପରେ ଚିନ୍ତା କରାଯାଉଛି ବୋଲି ସରକାର ସ୍ପଷ୍ଟ କରିଛନ୍ତି। ଯେଉଁ ମହିଳାଙ୍କ ଦରମା ୧୫ ହଜାରରୁ ଊର୍ଧ୍ୱ କେବଳ ସେଇମାନେ ହିଁ ଏହି ସୁବିଧାର ଲାଭ ଉଠାଇପାରିବେ। ଉଭୟ ସରକାରୀ ଓ ବେସରକାରୀ କ୍ଷେତ୍ରରେ ଏହି ନୂଆ ନିୟମ ଲାଗୁ କରାଯିବ ବୋଲି ସୂଚନା ରହିଛି।
ଉଲ୍ଲେଖଯୋଗ୍ୟ, ପୂର୍ବରୁ ମହିଳାମାନଙ୍କୁ କେବଳ ୧୨ ସପ୍ତାହ ମାତୃତ୍ୱ ଛୁଟି ମିଳୁଥିଲା। ମାତ୍ର ଏହାକୁ ବର୍ଦ୍ଧିତ କରାଯାଇ ୨୬ ସପ୍ତାହ କରାଯିବା ପରେ କେତେକ କମ୍ପାନି ମହିଳାମାନଙ୍କୁ ଗର୍ଭ କାଳୀନ ଛୁଟି ଦେବା ପରିବର୍ତ୍ତେ ଚାକିରି ଛାଡ଼ିବାକୁ କହୁଥିବା ଅଭିଯୋଗ ଆସିବା ଏପରି ନିଷ୍ପତ୍ତି ନିଆଯାଇଛି। ମହିଳା ଓ ଶିଶୁ ବିକାଶ ସଚିବ ରାକେଶ ଶ୍ରୀବାସ୍ତବ କହିଛନ୍ତି, ‘ଶ୍ରମିକ କଲ୍ୟାଣ ସେସରୁ ମିଳୁଥିବା ପାଣ୍ଠିକୁ ଏଥିପାଇଁ ବିନିଯୋଗ କରାଯିବ।’ ମାତୃତ୍ୱ ଛୁଟିକୁ ୧୨ ସପ୍ତାହରୁ ୨୬ ସପ୍ତାହ ପର୍ୟ୍ୟନ୍ତ ବର୍ଦ୍ଧିତ କରାଯିବା ପାଇଁ ଗତ ବର୍ଷ ନିୟମ ହୋଇଥିଲା। ମାତୃତ୍ୱ ଛୁଟି ବଢ଼ାଯିବାରୁ ଅନେକ ମହିଳାଙ୍କୁ ଚାକିରିରୁ ବାହାର କରିଦିଆଯାଉଛି ବୋଲି ମହିଳାମାନେ ଅଭିଯୋଗ ଆଣିଛନ୍ତି।