ଗୋଆର ପ୍ରସିଦ୍ଧ ନାଇଟ୍ କ୍ଲବରେ ବଡ଼ ଧରଣର ଅଗ୍ନିକାଣ୍ଡ

ଗୋଆର ପ୍ରସିଦ୍ଧ ନାଇଟ୍ କ୍ଲବରେ ବଡ଼ ଧରଣର ଅଗ୍ନିକାଣ୍ଡ। ଉତ୍ତର ଗୋଆ ଆର୍ପୋରା ସ୍ଥିତ ରୋମିଓ ଲେନ୍ ରେ ଥିବା ବ୍ରିଚ୍ ନାଇଟ୍ କ୍ଲବରେ ନିଆଁ ଲାଗି ହୁ ହୁ ହେଇ ଜଳିଯାଇଛି ପୁରା ନାଇଟ୍ କ୍ଲବ୍। ଯେଉଁଥିରେ ୨୫ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୫୦ରୁ ଅଧିକ ଗୁରୁତର ଭାବେ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ୧୮ରୁ ୧୯ ଜଣ କର୍ମଚାରୀ ଥିବା ଜଣାପଡ଼ିଛି । ୪ ପର୍ଯ୍ୟଟକ ବି ଏହି ଅଘଟଣରେ ପ୍ରାଣ ହରାଇବା ସହ ଗୁରୁତର ଭାବେ ଆହତ ହୋଇଛନ୍ତି।

ପୋଲିସ ସୂଚନା ଅନୁଯାୟୀ, ଗ୍ୟାସ ସିଲିଣ୍ଡର୍‌ ଫାଟିବା ଯୋଗୁ ଏହି ଦୁର୍ଘଟଣା ହୋଇଥାଇପାରେ ବୋଲି କୁହାଯାଉଛି । ମୃତକମାନଙ୍କ ମଧ୍ୟରେ ଅଧିକାଂଶ କ୍ଲବରେ କାମ କରୁଥିବା କର୍ମଚାରୀ ଥିବା ଜଣାପଡ଼ିଛି । ଘଟଣା ସମୟରେ କ୍ଲବରେ ଅନେକ ଲୋକ ଉପସ୍ଥିତ ଥିଲେ । ମଧ୍ୟରାତ୍ରି ସମୟରେ ନିଆଁ ଲାଗିବା ପରେ ତୁରନ୍ତ ରେସ୍କ୍ୟୁ ଅପରେଶନ ଜାରି ରହିଥିଲା। ଯାହା ରବିବାର ସକାଳ ପର୍ଯ୍ୟନ୍ତ ଜାରି ରହିଥିଲା । ଘଟଣାସ୍ଥଳକୁ ରାତିରେ ହିଁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ। ତାସହ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଘଟଣାକୁ ନେଇ ଶୋକ ପ୍ରକାଶ କରିଛନ୍ତି।