ମାଓବାଦୀ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ କରି ଉଡାଇଦେଇଛନ୍ତି ରେଲୱେ ଟ୍ରାକ୍

ରାଉରକେଲା:- ଶହୀଦ ସପ୍ତାହରେ ବଡ଼ ଆକ୍ରମଣ କରିଛନ୍ତି ମାଓବାଦୀ । ଲ୍ୟାଣ୍ଡମାଇନ୍ ବିସ୍ଫୋରଣ କରି ଉଡାଇଦେଇଛନ୍ତି ରେଲୱେ ଟ୍ରାକ୍ । ଏହି ବିସ୍ଫୋରଣରେ ଜଣେ ରେଲଓ୍ୱେ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି । ଆହତ କର୍ମଚାରୀଙ୍କ ନାମ ଇଟିୱା ଓରାମ ବୋଲି ଜଣାପଡିଛି । ତାଙ୍କୁ ଉଦ୍ଧାର କରାଯାଇ ରାଉରକେଲା ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ବିସ୍ଫୋରଣରେ ଜଣେ ରେଲଓ୍ୱେ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ନେଇ ମଧ୍ୟ ସୂଚନା ରହିଛି । ମାଓବାଦୀଙ୍କ ଆକ୍ରମଣରେ ରେଲଓ୍ୱେ କର୍ମଚାରୀଙ୍କ ମୃତ୍ୟୁ ଖବର ସୂଚନା ପାଇବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକବ୍ୟକ୍ତ କରିଛନ୍ତି । ମୃତକଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇ ପରିବାରକୁ ୧୦ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରାଯିବ ବୋଲି ଘୋଷଣା କରିଛନ୍ତି ।

ସୁରକ୍ଷା ଦୃଷ୍ଟିକୋଣରୁ ସ୍ଥାନୀୟ ଅଞ୍ଚଳରେ ପୋଲିସ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି । ଯାତ୍ରୀ ସୁରକ୍ଷାକୁ ଦୃଷ୍ଟିରେ ରଖି ବିଶ୍ରା, ଭାଲୁଲତା ଓ ଜରାଇକେଲା ରେଳଷ୍ଟେସନରେ ଆର୍‌ପିଏଫ୍ ଓ ଆର୍‌ପିଏସ୍‌ଏଫ୍ ମୁତୟନ କରାଯାଇଛି। ସମ୍ବେଦନଶୀଳ ମାର୍ଗରେ ଏକ୍ସପ୍ରେସ‌ ଓ ଅନ୍ୟ ଯାତ୍ରୀବାହୀ ଟ୍ରେନ୍‌ ଗୁଡ଼ିକର ଯାତ୍ରା ପୂର୍ବରୁ ମାଲବାହୀ ଟ୍ରେନ୍‌ ଚଳାଇବା ପାଇଁ ନିର୍ଦ୍ଦେଶ ଜାରିହେଇଛି । କୌଣସି ସନ୍ଦେହଜନକ କାର୍ଯ୍ୟକଳାପ ଦେଖିଲେ ତୁରନ୍ତ ରେଳବାଇ ହେଲ୍ପଲାଇନ୍ କିମ୍ବା ନିକଟତମ ରେଳଷ୍ଟେସନକୁ ଜଣାଇବାକୁ ରେଳ ପ୍ରଶାସନ ଯାତ୍ରୀଙ୍କୁ ନିବେଦନ କରାଯାଇଛି ।