ଅନେକ ଡକାୟତି ଘଟଣାର ପର୍ଦ୍ଦାଫାଶ, ପୋଲିସ ହାବୁଡରେ ୭ ଅଭିଯୁକ୍ତ

ଦେବଗଡ/କୁଣ୍ଢେଇଗୋଳା ୨୭।୦୬: ଦେବଗଡ ଜିଲ୍ଲା ରିଆମାଳ ଓ କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ବିଭିନ୍ନ ଗ୍ରାମରେ ଚଳିତ ବର୍ଷ ଜାନୁଆରୀ ମାସ ଠାରୁ ଜୁନ୍ ମାସ ପର୍ଯ୍ୟନ୍ତ ହୋଇଥିବା ଅନେକ ଡକାୟତି ଘଟଣାର ପର୍ଦ୍ଦାଫାଶ ହୋଇଛି। କୁଣ୍ଢେଇଗୋଳା ଥାନା ପୋଲିସ ଏନେଇ ତିନି ଜଣ ଡକାୟତ ଓ ଚୋରୀ ଜିନିଷଗୁଡିକ କିଣିଥିବା ଅଭିଯୋଗରେ ଚାରିଜଣଙ୍କ ସମେତ ମୋଟ ସାତ ଜଣଙ୍କୁ ଗିରଫ କରିଛି। ଗିରଫ ଚୋର ମାନେ କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ରାଇଝରଣ ଜଙ୍ଗଲ ମଧ୍ୟରେ ଏକ କୁଡିଆ ଘରରେ ଆଡ୍ଡା କରି ବିଭିନ୍ନ ସମୟରେ ସୁଚିନ୍ତିତ ଡକାୟତି କରୁଥିଲେ।ପୋଲିସ ଏ ନେଇ ଖବର ପାଇବା ପରେ ଡକାୟତଙ୍କ ଆଡ୍ଡାସ୍ଥଳୀରେ ଚଢାଉ କରି ତିନି ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ଦୁଇଟି ମଟର ସାଇକେଲ ସହ ମାରଣାସ୍ତ୍ର ଜବତ କରିଛନ୍ତି । ଗିରଫ ଡକାୟତ ମାନେ ଚୋରି ଜିନିଷଗୁଡିକୁ ଅନୁଗୋଳ ଜିଲ୍ଲାର ଏନଟିପିସି ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ବିକ୍ରି କରିଥିବା ବେଳେ ସେ ଗୁଡିକ ଜବତ କରିବା ସହ ଚୋରି ଜିନିଷ କିଣିବା ଅଭିଯୋଗରେ ଚାରିଜଣଙ୍କୁ ଗିରଫ କରିଛନ୍ତି । ପୋଲିସ ସେମାନଙ୍କ ଠାରୁ ଲ୍ୟାପଟପ, ଡେସ୍କଟପ, ପ୍ରିଣ୍ଟର, ଦଶଟି ମୋବାଇଲ ଫୋନ, ସମରସେବଲ ପମ୍ପ, ବିଭିନ୍ନ ମୋବାଇଲ ସାମଗ୍ରୀ ଜବତ କରିଛି। ଅନ୍ୟ ଜଣେ ଡକାୟତ ଫେରାର ଥିବାବେଳେ ପୋଲିସ ତାକୁ ଖୋଜିବା ସହ ଅଧିକ ତଦନ୍ତ କରୁଛନ୍ତି ।