ମଣିପୁର ଭୂସ୍ଖଳନ : ପୁଣି ୪ଜଣଙ୍କ ମୃତ ଦେହ ଉଦ୍ଧାର 

ମଣିପୁରରେ ଭୂସ୍ଖଳନରେ ଲଗାତାର ଭାବେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି 

(ମଣିପୁର) :  ମଣିପୁରରେ ଭୂସ୍ଖଳନରେ ଲଗାତାର ଭାବେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି  । ତେବେ ଏହି କ୍ରମରେ ଆଜି ଆଉ ୪ଜଣଙ୍କ ମୃତ ଦେହ ଉଦ୍ଧାର ହୋଇଛି। ଏହି ଘଟଣାରେ ମୃତ୍ୟୁ ସଂଖ୍ୟା ଏବେ ୧୪କୁ ବୃଦ୍ଧି ପାଇଛି। ଏହି ଦୁର୍ଘଟଣାରେ ଅନେକ ଯବାନ ସହିଦ ହୋଇଛନ୍ତି। ଏଥିସହ ୨୩ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଏବେ ବି ଆହୁରି ୪୦ରୁ ୫୦ ଜଣ ନିଖୋଜ ଅଛନ୍ତି।

 

ନିଖୋଜ ବ୍ୟକ୍ତିଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଭାରତୀୟ ସେନା ଆସାମ ରାଇଫଲ୍ସ ବ୍ୟତୀତ ଏନ୍‌ଡିଆର୍‌ଏଫ୍‌, ଏସ୍‌ଡିଆର୍‌ଏଫ୍‌ ଓ ଅନ୍ୟ କର୍ମଚାରୀମାନେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଭୂସ୍ଖଳନ ଯୋଗୁ ଧସିଥିବା ମାଟିକୁ ହଟାଇ ନିଖୋଜ ବ୍ୟକ୍ତିଙ୍କ ସର୍ଚ୍ଚ ଅପରେସନ ଚାଲିଛି। ସେପଟେ ଭୂସ୍ଖଳନ ଯୋଗୁ ଏଜାଇ ନଦୀର ପ୍ରବାହ ମଧ୍ୟ ଅଟକି ଯାଇଛି। ଫଳରେ ଆଖପାଖ ଅଞ୍ଚଳରେ ବନ୍ୟା ଆଶଙ୍କା ଉପୁଜିଛି।  ଭସ୍ଖଳନ ବେଳେ ଆର୍ମି କ୍ୟାମ୍ପରେ ୪୩ ଜଣ ଯବାନ ଥିଲେ। ୧୪ ମୃତକଙ୍କ ମଧ୍ୟରେ ୧୧ ଜଣ ଯବାନ ଅଛନ୍ତି।

 

 

ସୂଚନାନୁଯାୟୀ , ବୁଧବାର ବିଳମ୍ବିତ ରାତିରେ ମଣିପରୁ ନୋନି ଜିଲ୍ଲାର ତୁପୁଲ ରେଲୱେ ଷ୍ଟେସନ ନିକଟ ଭାରତୀୟ ସେନାର ୧୦୭ ବାଟାଲିଆନ୍‌ ଆର୍ମି କ୍ୟାମ୍ପ ନିକଟରେ ଭୂସ୍ଖଳନ ହୋଇଥିଲା। ଏଠାରେ ଜୀବିରାମରୁ ଇମ୍ଫାଲ ମଧ୍ୟରେ ରେଳ ଲାଇନ୍‌ ନିର୍ମାଣ କାମ ଚାଲିଥିଲା। ସୈନିକମାନେ ଏହି ରେଳ ଲାଇନ୍‌ର ସୁରକ୍ଷା ପାଇଁ ହିଁ ମୁତୟନ ଥିଲେ।