ପଦ ଛାଡିଲେ ମଣିପୁର ମୁଖ୍ୟମନ୍ତ୍ରୀ । ଭାଜପା ମୁଖ୍ୟମନ୍ତ୍ରୀ ବିରେନ ସିଂ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ସେ ନିଜର ଇସ୍ତଫା ପତ୍ର ମଣିପୁର ରାଜ୍ୟପାଳ ଅଜୟ ଭଲ୍ଲାଙ୍କୁ ପଠାଇଛନ୍ତି । ସେ ନିଜ ଇସ୍ତଫା ପତ୍ରରେ ଲେଖିଛନ୍ତି ଯେ ଏଯାବତ୍ ମଣିପୁର ବାସୀ ସେମାନଙ୍କର ସେବା କରିବାର ସୁଯୋଗ ଦେଇଥିବାରୁ ସେମାନଙ୍କ ପ୍ରତି ସେ କୃତଜ୍ଞ । ମଣିପୁରର ପ୍ରତ୍ୟେକ ନାଗରିକଙ୍କ ହିତରେ ସମୟାନୁସାରେ ନିଆଯାଇଥିବା କାର୍ୟ୍ୟାନୁଷ୍ଠାନ, ବିକାଶ କାର୍ୟ୍ୟ ଓ ବିଭିନ୍ନ ପରିଯୋଜନା ପାଇଁ ସେ କେନ୍ଦ୍ର ସରକାରଙ୍କୁ ସାଧୁବାଦ ଜଣାଇଛନ୍ତି । ସେପଟେ ରାଜ୍ୟପାଳ କହିଛନ୍ତି କି, ନୂଆ ସରକାର ଗଠନ ହେବା ପର୍ୟ୍ୟନ୍ତ ଏନ ବିରେନ ସିଂ ଦାୟିତ୍ୱରେ ରହିବେ । ବିଜେପିର ସୂତ୍ର ସୂଚନା ମୁତାବକ ଦିନେ କିମ୍ବା ଦୁଇଦିନ ମଧ୍ୟରେ ପୁଣି ନୂଆ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା ହୋଇପାରେ ।

ସୂଚନା ଥାଉକି ମଣିପୁରରେ ଲାଗି ରହିଥିବା ହିଂସାକୁ ଆୟତ କରିବାରେ ମଣିପୁର ସରକାର ସମର୍ଥ ହୋଇନଥିଲେ । ଏହାକୁ ନେଇ ମଣିପୁର ଠାରୁ ସାରା ଦେଶ ଏନ ବିରେନ ସିଂଙ୍କ ସମେତ ବିଜେପିକୁ ସମାଲୋଚନା କରାଯାଉଛି । ଗତ ସପ୍ତାହରେ ବିଧାନସଭା ଅଧ୍ୟକ୍ଷ ସତ୍ୟବ୍ରତଙ୍କୁ ଦିଲ୍ଲୀ ଡାକରା ପରେ ମଣିପୁରରେ କ୍ଷମତା ପରିବର୍ତନ ନେଇ କିଛିଟା ସଂକେତ ମିଳିଥିଲା ।

ଅନ୍ୟପଟେ ଆଜି ଏନ ବିରେନ ସିଂ ନିଜ ପଦରୁ ଇସ୍ତଫା ଦେବା ପୂର୍ବରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହାଙ୍କୁ ଭେଟିଥିଲେ । ଏହି ଭେଟ ସାରି ସେ ତୁରନ୍ତ ମଣିପୁର ଫେରି ଏଭଳି ପଦକ୍ଷେପ ନେଇଛନ୍ତି। ସେପଟେ ବର୍ତ୍ତମାନ ଦିଲ୍ଲୀରେ ନୂଆ ସରକାର ଗଠନ କରିବାକୁ ଯାଉଛି ବିଜେପି । ଖୋଜା ପଡିଛି ସିଏମ ଚେହେରା । କାହାକୁ ମୁଖ୍ୟମନ୍ତ୍ରୀ ଦାଇତ୍ୱ ଦିଆଯିବ ସେନେଇ ଚର୍ଚ୍ଚା ହେଉଛି । ତେବେ ବର୍ତ୍ତମାନ ଦୁଇଟି ରାଜ୍ୟରେ ଭାଜପା ନୂଆ ସିଏମ ଚେହେରା ସନ୍ଧାନରେ ରହିଛି । କାହାକୁ ମୁଖ୍ୟମନ୍ତ୍ରୀ ଦାଇତ୍ୱ ଦିଆଯିବ ତାହା ଉପରେ ରହିଛି ସମସ୍ତଙ୍କ ନଜର ।
