ବାଲିମେଳା(ସୂର୍ଯ୍ୟକାନ୍ତ ବେହେରା): ୟୁଟ୍ୟୁବରୁ ଦେଖି ଫେକ ବିଦ୍ୟୁତ ବିଲ ତିଆରି କରୁଥିଲେ ଯୁବକ । ଏପରି କରି ଦୀର୍ଘ ଦିନ ପର୍ଯ୍ୟନ୍ତ ନିରୀହ ଗରିବ ଆଦିବାସୀଙ୍କୁ ଠକି ଆସୁଥିଲେ । କିନ୍ତୁ ଆଜି ସେସବୁ ଧରା ପଡିଯାଇଛି । ଶେଷ ହୋଇଛି ୟୁଟୁବ ଖେଳ ।
ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକର କିଛି ଗ୍ରାମରେ ଏପରି ଘଟଣା ହେଉଥିବା ଦେଖିବାକୁ ମିଳିଛି । ଓରକେଲ ଥାନା ଅନ୍ତର୍ଗତ ଏମଭି-୩୦ ଗ୍ରାମର ନବ କିଶୋର ବିଶ୍ୱାସ ନାମକ ଯୁବକ(୨୫), ଟାଟା କମ୍ପାନୀ ବିଲିଂ ନିମନ୍ତେ ହସ୍ତାନ୍ତର କରିଥିବା ସାଇ କମ୍ପ୍ୟୁଟର ନାମକ କମ୍ପାନୀ ଅଧୀନରେ ବିଦ୍ୟୁତ ବିଲିଂ ଆଦାୟ କର୍ମଚାରୀ ଭାବେ କାମ କରି ଆସୁଥିଲେ। କିନ୍ତୁ କିଛି ମାସ ପୂର୍ବେ ସେ ନିଜର ମୁଣ୍ଡ ଖର୍ଚ୍ଚ କରି ଫେକ ବିଦ୍ୟୁତ ବିଲ ତିଆରି କରିବା ଶିଖିଥିଲେ । ଏସବୁ ଶିକ୍ଷା କରିବାରେ ମାଧ୍ୟମ ସାଜିଥିଲା ସୋଶିଆଲ ମିଡିଆ ୟୁଟ୍ୟୁବ । ଏହି କୌଶଳ ଶିଖିବା ପରେ ସେ ଏହାକୁ ପ୍ରୟୋଗ କରି ଫେକ ବିଦ୍ୟୁତ ବିଲ ବନେଇବାରେ ସକ୍ଷମ ହୋଇଥିଲେ।
ତେବେ ନବଙ୍କ ଲୁଟ ଘଟଣା ଆଜି ପଦାରେ ପଡିଛି । ବିଦ୍ୟୁତ ବିଲ କାର୍ୟ୍ୟାଳୟରେ ପୈଠ ନ କରିବାରୁ ଟାଟା କମ୍ପାନୀ ପକ୍ଷରୁ ଗ୍ରାହକଙ୍କ ନିକଟକୁ ବିଦ୍ୟୁତ ବିଲ ବକେୟା ରହିଥିବା ନେଇ ନୋଟିସ ଜାରି କରାଯାଇଥିଲା । ଏନେଇ ଗ୍ରାମବାସୀଙ୍କ ଅଭିଯୋଗ ପରେ ସୁପରଭାଇଜର ଓରକେଲ ଥାନାରେ ଏତଲା ଦେଇଥିଲେ। ଏହାପରେ ଚିତ୍ରକୋଣ୍ଡା ଏସଡିପିଓ ଅଂଶୁମାନ ଦ୍ୱିବେଦୀଙ୍କ ନେତୃତ୍ୱରେ ଓରକେଲ ପୋଲିସର ଏକ ଟିମ ନବକୁ ୨୪ ଘଣ୍ଟା ମଧ୍ୟରେ ଗିରଫ କରିଛି । ଗିରଫ ନବଠାରୁ ପୋଲିସ ଏକ ବିଲିଂ ମେସିନ, ୨ଟି ମୋବାଇଲ ଏବଂ ୪୦ ହଜାର ନଗଦ ଟଙ୍କା ଜବତ କରିଥିବା ଚିତ୍ରକୋଣ୍ଡା ଏସଡିପିଓ ଅଂଶୁମାନ ଦ୍ୱିବେଦୀ ଏବଂ ଥାନାଧିକାରୀ ଜହ୍ନ୍ କୁଜୁର ସୂଚନା ଦେଇଛନ୍ତି ।