ମାଲକାନଗିରି / ସୂର୍ଯ୍ୟକାନ୍ତ ବେହେରା : ଗତକାଲି ଆରମ୍ଭ ହୋଇଥିବା ମାଓ ଦମନ ଅପରେସନରେ ୨ ମହିଳା ମାଓବାଦୀ ସମେତ ୩ଜଣ ନିହତ ହୋଇଥିଲେ । ପୋଲିସର ଏହି ବଡ ଧରଣର ସଫଳତା ପରେ ମାଲକାନଗିରି ଆଗାମୀ କିଛି ଦିନ ମଧ୍ୟରେ ମାଓ ମୁକ୍ତ ହେବ ବୋଲି ସମ୍ଭାବନା ବଢିଛି । ମାଥିଲି ବ୍ଲକ ଅନ୍ତର୍ଗତ ତୁଳସୀ ପାହାଡ଼ ସବୁବେଳେ ମାଓବାଦୀଙ୍କ କାର୍ୟ୍ୟକଳାପ ପାଇଁ ପୋଲିସ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା। ଏହି ପାହାଡର ଅପର ପାର୍ଶ୍ଵରେ ଛତିଶଗଡ଼ ରହିଥିବା ଯୋଗୁଁ ମାଓବାଦୀଙ୍କ ପାଇଁ ସୁରକ୍ଷା ସ୍ଥଳି ଭାବେ ପରିଗଣିତ ହୋଇଆସୁଛି। ହେଲେ ଏହି ଅଞ୍ଚଳ ଉପରେ ଏବେ ପୋଲିସ ଓ ସୁରକ୍ଷା ବାହିନୀର ଫୋକସରେ ରହିଛି ।
ଆଜି ଡିଜିପି ଅଭୟ କୁମାର ମାଲକାନଗିରି ପହଁଚି ଘଟଣାର ସମୀକ୍ଷା କରୁଛନ୍ତି । ତୁଳସୀ ପାହାଡ଼ ଏନକାଉଣ୍ଟର ଘଟଣାର ମଧ୍ୟ ସେ ସମୀକ୍ଷା କରୁଛନ୍ତି । ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥା ଓ ମାଓଦମନ ନେଇ ମଧ୍ୟ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା ମଧ୍ୟ କରିବେ।