ଆଜି ମାଲକାନଗିରି ଜିଲ୍ଲାର ସବୁ ସ୍କୁଲ୍ ଓ ଅଙ୍ଗନବାଡ଼ି କେନ୍ଦ୍ର ଛୁଟି

ମାଲକାନଗିରି: ଆଜି ମାଲକାନଗିରି ଜିଲ୍ଲାର ସବୁ ସ୍କୁଲ୍ ଓ ଅଙ୍ଗନବାଡ଼ି କେନ୍ଦ୍ର ଛୁଟି । ପ୍ରବଳ ବର୍ଷା ପାଇଁ ରେଡ୍ ଆଲର୍ଟ ଜାରି ହେବା ପରେ ସମସ୍ତ ଶିକ୍ଷାନୁଷ୍ଠାନକୁ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ । କିନ୍ତୁ ସମସ୍ତ ପ୍ରଧାନ ଶିକ୍ଷକ, ଶିକ୍ଷକ ଓ ଅଙ୍ଗନବାଡ଼ି କର୍ମୀ ନିଜ ନିଜ ଅନୁଷ୍ଠାନରେ ଉପସ୍ଥିତ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।  ପ୍ରବଳ ବର୍ଷା ଯୋଗୁ ମାଲକାନଗିରି ଜିଲ୍ଲାରେ ଜୀବନଯାତ୍ରା ପ୍ରଭାବିତ । NH ୩୨୬ ପୋଟେରୁ-କଂଗୃକୋଣ୍ଡା ପୋଲ ଉପରେ ୫ ଫୁଟ୍ ପାଣି । କାଲିମେଳା ଓ ପଡିଆ ମୁଖ୍ୟରାସ୍ତାର କନ୍ୟାଶ୍ରମ ପୋଲ ଉପରେ ମଧ୍ୟ ପାଣି । ଫଳରେ କାଲିମେଳା ଓ ପଡିଆକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଲଗାଣ ବର୍ଷା ଯୋଗୁ ଏବେ ବି କାଙ୍ଗୋରୁକୋଣ୍ଡା ଓ ପୋଟେରୁ ପୋଲ ଉପରେ ୪ ଫୁଟ ପାଣି ପ୍ରବାହିତ ହେଉଛି। ଏହି କାରଣରୁ ୩୨୬ ନଂ ଜାତୟ ରାଜପଥରେ ଯାତାୟାତ ଠପ୍ ହୋଇଯାଇଛି। ଲୋକେ ହନ୍ତସନ୍ତ ହେଉଛନ୍ତି।  ତେବେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ । ଏହା ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରେ ଗତି କରି ଆଗାମୀ କିଛି ଘଣ୍ଟାରେ ଅବପାତର ରୂପ ନେବ । ପ୍ରଭାବରେ ତିନୋଟି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଆକଳନ କରିଛି ଆଞ୍ଚଳିକ ବିଭାଗ । ବିଶେଷକରି ଆଜି କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲା ପାଇଁ ରେଡ୍ ଆଲର୍ଟ ଜାରି ହୋଇଛି ।