ଜୁଲାଇ ୧୫ ଓଡିଶା ବନ୍ଦକୁ ସଫଳ କର

ହିଞ୍ଜିଳି/ରଜନୀକାନ୍ତ ପାତ୍ର : ବିଭିନ୍ନ ପ୍ରଗତିଶୀଳ ଗଣସଂଗଠନ ଓ ବାମପନ୍ଥୀ ଦଳଙ୍କୁ ନେଇ ଗଠିତ ଜନ ଅଧିକାର ଆନ୍ଦୋଳନର ଦ୍ୱିତୀୟ ବୈଠକ ବ୍ରହ୍ମପୁର ଗେଟବଜାର ଅଞ୍ଚଳରେ ଅନୁଷ୍ଠିତ ହୋଇଯାଇଛି  । ଆଇନଜୀବୀ ଅବନୀ ଗୟାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କେନ୍ଦ୍ରର ବିଜେପି ସରକାରର କର୍ପୋରେଟ ସପକ୍ଷବାଦୀ ଓ ଜନବିରୋଧୀ ନୀତି ଗୁଡିକୁ ତୀବ୍ର ବିରୋଧ କରାଯାଇଛି  । କେନ୍ଦ୍ର ସରକାର ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ, ଔଷଧ, ବିଦ୍ୟୁତ, ପନିପରିବା, ରାସନ ସାମଗ୍ରୀ ଆଦି ସମସ୍ତ ନିତ୍ୟ ବ୍ୟବହାର୍ୟ୍ୟ ଜିନିଷର ଦରଦାମ ବୃଦ୍ଧିକରି ଲୋକଙ୍କ ଜୀବନ ଜୀବିକାକୁ ହତ୍ୟା କରୁଛନ୍ତି ତା ବିରୁଦ୍ଧରେ ସମଗ୍ର ଦେଶରେ ପ୍ରବଳ ଜନ ଅସନ୍ତୋଷର ପରିସ୍ଥିତି ସୃଷ୍ଟି ହୋଇଛି  । ବଡ଼ ବଡ଼ ଶିଳ୍ପପତିଙ୍କ ଦଲାଲ ସାଜି ଦେଶର କୋଟି କୋଟି ଜନତାଙ୍କ ଆର୍ଥିକ ସ୍ଥିତିକୁ ଦୋହଲାଇ ସେମାନଙ୍କୁ ଅଭାବ ଅନାଟନ ମଧ୍ୟକୁ ଠେଲିଦେଇଛି କେନ୍ଦ୍ରର ବିଜେପି ସରକାର  । ବିଜେପିର ଏହି ଜନବିରୋଧୀ ନୀତିକୁ ରାଜ୍ୟର ବିଜେଡି ସରକାର ନିରବ ସମର୍ଥନ କରି ଖୋଲାଖୋଲି ସମର୍ଥନ ଜଣାଇଛି ।

ଏଣୁ କର୍ପୋରେଟର ସ୍ୱାର୍ଥରକ୍ଷା-କାରୀ ଉଭୟ ବିଜେପି ଓ ବିଜେଡି ଏହି ଜନବିରୋଧୀ ନିଷ୍ପତ୍ତି ଗୁଡିକୁ ସମ୍ପୂର୍ଣ୍ଣଭାବେ ପ୍ରତ୍ୟାହାର ସହ ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ, ବିଦ୍ୟୁତ ଭଳି ସମସ୍ତ ନିତ୍ୟ ବ୍ୟବହାର୍ୟ୍ୟ ଜିନିଷଗୁଡିକର ଦରଦାମ ବୃଦ୍ଧିକୁ ବିରୋଧ କରି ଆସନ୍ତା ଜୁଲାଇ ୧୫ତାରିଖରେ ଘୋଷଣା କରାଯାଇଥିବା ଓଡିଶା ବନ୍ଦ ଡାକରକ୍ଷକୁ ଜନ ଅଧିକାର ଆନ୍ଦୋଳନ ପୁର୍ଣ ସମର୍ଥନ ଜଣାଇଛି ଓ ଦରଦାମ ବୃଦ୍ଧି ବିରୁଦ୍ଧରେ ଏହି ବନ୍ଦକୁ ସଫଳ କରିବାପାଇଁ ସ୍ୱତଃପ୍ରବୃତଭାବେ ଦୋକାନ ବଜାର, ଗାଡି ଚଳାଚଳ,ଅଫିସ ଦପ୍ତର, ଘରୋଇ ଅନୁଷ୍ଠାନ ଆଦି ସକାଳ ୬ରୁ ମଧ୍ୟାହ୍ନ ୧୨ଘଣ୍ଟା ପର୍ୟ୍ୟନ୍ତ ବନ୍ଦ କରିବାପାଇଁ ଜନଗଣଙ୍କୁ ଅନୁରୋଧ କରାଯାଇଛି  ।

ଆଜିର ଏହି ବୈଠକରେ ସିପିଆଇ(ଏମଏଲ)ର ଜିଲ୍ଲା ସମ୍ପାଦକ ନିରାକାର ନାୟକ, ଆମ ଆଦମୀ ପାର୍ଟିର ଜିଲ୍ଲା ସଭାପତି ସୁବାସ ରାଉତ, ସମ୍ପାଦକ ଆଦିତ୍ୟ ରଥ, ଓଡିଶା ନିର୍ମାଣ ଶ୍ରମିକ ସଂଘର ପି.ପାର୍ବତୀ, ମାନବ ଅଧିକାର ସୁରକ୍ଷା ମଞ୍ଚର ନେତା ମନୋଜ ତରାଇ, ଜନ ଜାଗରଣ ମଞ୍ଚର ମଧୁସୂଦନ,ସିପିଆଇ(ଏମ ଏଲ )ରେଡଷ୍ଟାର ର ଜିଲ୍ଲା ସମ୍ପାଦକ ଶଙ୍କର ସାହୁ,ବହୁଜନ କ୍ରାନ୍ତି ମୋର୍ଚ୍ଚାର ଜି.ଦେବେନ୍ଦ୍ର, ଯୁବନେତା ଶିବରାମ ସାହୁ, ଜୀବନ ଜୀବିକା ଓ ପରିବେଶ ସୁରକ୍ଷା ମଞ୍ଚର ସଭାପତି ଗୁରୁଦେବ ବେହେରକ୍ଷ ପ୍ରମୁଖ ଉପସ୍ଥିତ ଥିଲେ  ।