(ମମତା ସାମଲ ): ମହାରାଷ୍ଟ୍ରରେ ବିଗତ ୨୪ ଘଣ୍ଟା ମଧ୍ୟରେ କରୋନା ଭାଇରସ ସଂକ୍ରମଣର ଶିକାର ହୋଇଛନ୍ତି ୭୯୦ ଜଣ ଲୋକ । ଏଥିରୁ ୫୪୭ ଜଣ ହେଉଛନ୍ତି ମୁମ୍ବାଇ ନିବାସୀ । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଏପର୍ଯ୍ୟନ୍ତ ୧୨ ହଜାର ୨୯୬ ଜଣ ଲୋକ କରୋନା ଭାଇରସରେ ସଂକ୍ରମିତ ହୋଇଛନ୍ତି । ରାଜ୍ୟରେ ସମୁଦାୟ ମୃତକଙ୍କ ସଂଖ୍ୟା ୫୨୧ ପହଞ୍ଚିଛି ।ମହାରାଷ୍ଟ୍ରରେ ଗତ ୨୪ ଘଣ୍ଟାରେ ଭାଇରସ ସଂକ୍ରମଣରେ ୩୬ ଜଣଙ୍କର ମୃତ୍ୟୁ ହୋଇଛି । ଏଥିରେ ମୁମ୍ବାଇରୁ କେବଳ ୨୭ ଜଣ ଜୀବନ ହରାଇଛନ୍ତି । ଚିକିତ୍ସା ପରେ ସଂକ୍ରମଣରୁ ମୁକ୍ତ ହୋଇଥିବା ୧୨୧ ଲୋକଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି । ରାଜ୍ୟରେ ଏପର୍ଯ୍ୟନ୍ତ ୨ ହଜାର ଲୋକ ସଂକ୍ରମଣ ମୁକ୍ତ ହୋଇଛନ୍ତି । ସେହିପରି ରାଜ୍ୟରେ ଏପର୍ଯ୍ୟନ୍ତ ୧ ଲକ୍ଷ ୬୧ ହଜାର ୯୨ ଜଣଙ୍କ ନମୁନା ପରୀକ୍ଷା ହୋଇଛି । ଆରୋଗ୍ୟ ବିଭାଗ ଅନୁସାରେ ମୁମ୍ବାଇ ସମତେ ମହାରାଷ୍ଟ୍ରରେ
ଶନିବାର ମୋଟ ୩୬ ଜଣଙ୍କ ମୃତ୍ୟୁ ହୋଇଛି । ଏଥିରୁ ମୁମ୍ବାଇର ସଂଖ୍ୟା ୨୭ ବ୍ୟତୀତ ପୁଣେରେ ୩ ଜଣ ଓ ଅମରାବତୀରେ ୨ ଜଣ ରୋଗୀଙ୍କ ମୃତ୍ୟୁ ହୋଇଛି । ବସଇ-ଭିରାର, ଅମରାବତୀ ଓ ଔରଙ୍ଗାବାଦ ଜିଲ୍ଲାରେ ଜଣେ ଲେଖାଏଁ ରୋଗୀଙ୍କ ମୃତ୍ୟୁ ହୋଇଛି । ବିଭାଗ ଅନୁସାରେ ମୃତକଙ୍କ ମଧ୍ୟରେ ୨୮ ଜଣ ପୁରୁଷ ଥିବା ବେଳେ ମହିଳାଙ୍କ ସଂଖ୍ୟା ହେଉଛି ୮ ଜଣ । ଏଥିରେ ୧୯ରୁ ୬୦ ବର୍ଷ ମଧ୍ୟରେ ଅଧିକାଂଶ ରୋଗୀଙ୍କ ମୃତ୍ୟୁ ହୋଇଛି । ୧୬ ଜଣ ରୋଗୀଙ୍କ ବୟସ ୪୦ ରୁ ୫୯ ବର୍ଷ ବୟସ ହୋଇଥିବା ବେଳେ ସେହିପରି ଜଣେ ରୋଗୀଙ୍କ ବୟସ ୪୦ରୁ କମ ଥିବା ବେଳେ ୩୬ରୁ ୨୩ ଜଣ ରୋଗୀ ପୂର୍ବରୁ ମଧୁମେହ, ଅସ୍ଥମା, ହୃଦୟ ସମେତ ଅନ୍ୟ ରୋଗରେ ପୀଡ଼ିତ ଥିଲେ ।
ମୁମ୍ବାଇରେ କରୋନା ଭାଇରସ ସଂକ୍ରମିତ ସଂଖ୍ୟା ୮ ହଜାର ୧୭୨ ଜଣ । ଧାରାବୀରେ ୨ ଦିନରେ ୧୨୭ ଜଣ ନୂଆଁ ପଜିଟିଭ ଚିହ୍ନଟ ହୋଇଥିବାରୁ ବିଏମସିର ଚିନ୍ତା ବଢ଼ିଛି । ଏସିଆ ମହାଦେଶର ସବୁଠାରୁ ବଡ଼ ବସ୍ତିରେ ଏପର୍ଯ୍ୟନ୍ତ ମୋଟ ପୀଡ଼ିତଙ୍କ ସଂଖ୍ୟା ୪୯୬ ଜଣ । ଏଥିରୁ ୧୮ ଜଣଙ୍କ ମୃତ୍ୟୁ ହୋଇସାରିଛି । ମାହିମାରେ ୨ ଦିନରେ ୧୭ ଓ ଦାଦରରେ ୧୩ ନୂଆ ରୋଗୀ ଚିହ୍ନଟ ହୋଇଛି । ମାହିମରେ ସଂଖ୍ୟା ୫୨ ଓ ଦାଦରରେ ଏହା ୪୬ ହୋଇଛି ।