(ମୁମ୍ବାଇ): ବଲିଉଡ୍ କୁଇନ୍ କଙ୍ଗନା ରାଣାୱତ୍ ଓ ମହାରାଷ୍ଟ୍ର ସରକାର ମଧ୍ୟରେ ଚାଲିଥିବା ବିବାଦ ଘନେଇବାରେ ଲାଗିଛି । ଯେଉଁଥି ପାଇଁ କଙ୍ଗନା ଏବେ ଚର୍ଚ୍ଚାର ଶୀର୍ଷରେ ଅଛନ୍ତି । ତେବେ କଙ୍ଗନା ବିରୋଧରେ ଆଉ ଏକ ଅଭିଯୋଗ ଆଣିଛନ୍ତି ମହାରାଷ୍ଟ୍ର ସରକାର । ଯାହାକୁ ନେଇ କଙ୍ଗନା ନିଜର କଡା ଜବାବ ରଖିିଛନ୍ତି । କଙ୍ଗନା ରାଣାୱତଙ୍କ ବିରୋଧରେ ଏବେ ଡ୍ରଗ୍ସ ନେଉଥିବା ଦାବିକୁ ନେଇ ତଦନ୍ତ ହେବାକୁ ଯାଉଛି । ମହାରାଷ୍ଟ୍ର ସରକାର ଏହି ଘଟଣାର ତଦନ୍ତ ଭାର ମୁମ୍ବାଇ ପୁଲିସକୁ ହସ୍ତାନ୍ତର କରିଛନ୍ତି । ଏହି ଘଟଣାର ତଦନ୍ତ ପାଇଁ ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ ମୁମ୍ବାଇ ପୁଲିସ ପାଖକୁ ଏକ ସରକାରୀ ଚିଠି ପଠାଯାଇଛି । ତେବେ ଏହି ମାମଲାର ତଦନ୍ତ ଏସଆଇଟି କି ଆଣ୍ଟି ନାର୍କୋଟିକ୍ସ ସେଲ୍ କରିବ, ସେନେଇ ମୁମ୍ବାଇ ପୁଲିସ ଏପର୍ୟ୍ୟନ୍ତ କିଛି ସ୍ପଷ୍ଟ ନିଷ୍ପତ୍ତି ନେଇ ନାହିଁ ।
କଙ୍ଗନା ରାଣାୱତ ବିରୋଧରେ ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖ ଡ୍ରଗ୍ସ ନେଉଥିବା ମାମଲା ଆଣିଛନ୍ତି । କଙ୍ଗନାଙ୍କ ପୂର୍ବତନ ବୟଫ୍ରେଣ୍ଡ୍ ଅଧ୍ୟୟନ ସୁମନଙ୍କ ଏକ ପୁରୁଣା ସାକ୍ଷାତକାରକୁ ଆଧାର କରି ସେ ଏହି ପ୍ରସଙ୍ଗ ଉଠାଇଥିବା ଜଣାପଡିଛି । ଉକ୍ତ ସାକ୍ଷାତକାରରେ ଅଧ୍ୟୟନ ସୁମନ ଦାବି କରିଥିଲେ ଯେ, କଙ୍ଗନା ତାଙ୍କୁ ଜୋରଜବରଦସ୍ତ ଡ୍ରଗ୍ସ ଦେଇଥିଲେ ।
ମହାରାଷ୍ଟ୍ର ସରକାରଙ୍କ ଏଭଳି ଦାବି ଉପରେ କଙ୍ଗନା ମଧ୍ୟ ନିଜର କଡା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । କଙ୍ଗନା ତାଙ୍କ ଟ୍ୱିଟରେ ଲେଖିଛନ୍ତି – ଦୟାକରି ମୋର ଡ୍ରଗ୍ସ ପରୀକ୍ଷା କରାଯାଉ ଏବଂ ମୋର କଲ୍ ରେକର୍ଡ ମଧ୍ୟ ଯାଞ୍ଚ କରାଯାଉ । ଯଦି ଆପଣ ଡ୍ରଗ୍ ବେପାରୀଙ୍କ ସହ ମୋର ସଂପର୍କ ଥିବା ଜାଣିବାକୁ ପାଆନ୍ତି, ତେବେ ମୁଁ ମୋ ଭୁଲ୍ ଗ୍ରହଣ କରିବି । ଏହାସହ ମୁମ୍ବାଇକୁ ସବୁଦିନ ପାଇଁ ଛାଡିଦେବି ।