ସମ୍ବଲପୁର: ଆଜି ପୁଣି ଖୋଲିବ ହୀରାକୁଦ ଜଳଭଣ୍ଡାର ଗେଟ୍ । ଜଳଭଣ୍ଡାରରେ ଜଳସ୍ତର ବଢୁଥିବାରୁ ଗେଟ୍ ଖୋଲିବାକୁ ନିଷ୍ପତ୍ତି । ଏନେଇ ସୂଚନା ଦେଇଛନ୍ତି ହୀରାକୁଦ ଜଳଭଣ୍ଡାର ମୁଖ୍ୟ ଯନ୍ତ୍ରୀ । ସେପଟେ ଗେଟ୍ ଖୋଲିବାକୁ ନେଇ ସତର୍କ ସୂଚନା ଜାରି କରିଛନ୍ତି ହୀରାକୁଦ ବନ୍ଧ କର୍ତ୍ତୃପକ୍ଷ । ମହାନଦୀ ଭିତରକୁ ନ ଯିବାପାଇଁ ସତର୍କ ସୂଚନା ଜାରି ହୋଇଛି । ଉପର ମୁଣ୍ଡରେ ବର୍ଷା ଯୋଗୁଁ ଜଳଭଣ୍ଡାର ଫୁଲୁଥିବା ନେଇ ସୂଚନା ମିଳିଛି । ପ୍ରଥମ ପର୍ଯ୍ୟାୟରେ ୪ରୁ ଅଧିକ ଗେଟ ଖୋଲା ଯାଇପାରେ । ବର୍ତ୍ତମାନ ହୀରାକୁଦ ଜଲଭଣ୍ଡାରର ଜଳସ୍ତର ୬୨୦ ଫୁଟ ରହିଛି । ପ୍ରତି ସେକେଣ୍ଡରେ ୨ ଲକ୍ଷ ୪୩ ହଜାର ୮୩୧ କ୍ୟୁସେକ ଜଳ ପ୍ରବେଶ କରୁଛି । ସେପଟେ ଆସନ୍ତା ୨୭ ତାରିଖ ଯାଏ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ରହିଛି । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଆଜି ପାଇଁ ୨୦ ଜିଲାକୁ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହି ଜିଲାଗୁଡିକ ହେଲା ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ ଓ ଢେଙ୍କାନାଳ ।