ବଢ଼ିଲା ମହାନଦୀ ଟ୍ରିବ୍ୟୁନାଲର ଅବଧି । କେନ୍ଦ୍ର ସରକାର ୨୦୨୭ ଜାନୁଆରୀ ଯାଏଁ ମହାନଦୀ ଟ୍ରିବ୍ୟୁନାଲ୍ କାର୍ଯ୍ୟକାଳ ବଢ଼ାଇଛନ୍ତି । ଓଡ଼ିଶା ଏବଂ ଛତିଶଗଡ଼ ମଧ୍ୟରେ ଲାଗି ରହିଥିବା ମହାନଦୀ ଜଳ ବିବାଦର ସମାଧାନ ପାଇଁ ଗଠିତ ‘ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ୍’ (MWDT) ର କାର୍ଯ୍ୟକାଳକୁ ୨୦୨୭ ମସିହା ୧୩ ଜାନୁଆରୀ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଦୀର୍ଘ ଦିନରୁ ଲାଗି ରହିଥିବା ବିବାଦର ସମାଧାନ ପାଇଁ ଟ୍ରିବ୍ୟୁନାଲଙ୍କୁ ଏହି ଅତିରିକ୍ତ ସମୟ ଦିଆଯାଇଛି । ଏନେଇ ଜଳ ସମ୍ପଦ ନଦୀ ବିକାଶ ଓ ଗଙ୍ଗା ସଂରକ୍ଷଣ ମନ୍ତ୍ରଣାଳୟ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି ।
ପୂର୍ବରୁ ଟ୍ରିବ୍ୟୁନାଲଙ୍କ କାର୍ଯ୍ୟକାଳ ଆସନ୍ତା ୧୩ରେ ଶେଷ ହେବାର ଥିଲା । କିନ୍ତୁ ଓଡ଼ିଶା ଓ ଛତିଶଗଡ଼ ସରକାରଙ୍କ ମିଳିତ ଅନୁରୋଧ କ୍ରମେ କେନ୍ଦ୍ର ସରକାର ଏହାକୁ ଆଉ ୯ ମାସ ବଢ଼ାଇ ଦେଇଛନ୍ତି । ଟ୍ରିବ୍ୟୁନାଲ ଅବଧି ବୃଦ୍ଧି ନିଷ୍ପତ୍ତି ଓଡ଼ିଶା ପାଇଁ ବଡ଼ ଆଶ୍ୱସ୍ତି ଭାବେ ଦେଖାଯାଉଛି। କାର୍ଯ୍ୟକାଳ ବଢ଼ିବା ଫଳରେ ଏବେ ଶୁଣାଣି ଜାରି ରହିପାରିବ ଏବଂ ବିନା କୌଣସି ନିଷ୍ପତ୍ତିରେ ମାମଲାଟି ବନ୍ଦ ହେବାର ଭୟ ରହିବ ନାହିଁ । ୨୦୧୮ ମସିହାରେ ମହାନଦୀ ଟ୍ରିବ୍ୟୁନାଲ୍ ଗଠନ କରାଯାଇଥିଲା । ଛତିଶଗଡ଼ ମହାନଦୀର ଉପର ମୁଣ୍ଡରେ ଅନେକ ବ୍ୟାରେଜ୍ ଓ ପ୍ରକଳ୍ପ ନିର୍ମାଣ କରିଥିବାରୁ ଓଡ଼ିଶାକୁ ଜଳ ପ୍ରବାହ କମୁଥିବା ନେଇ ରାଜ୍ୟ ସରକାର ବାରମ୍ବାର ଅଭିଯୋଗ କରିଆସୁଛନ୍ତି । ନିୟମ ଅନୁଯାୟୀ, ଏହି ବିବାଦର ଅନ୍ତ ୩ ବର୍ଷ ମଧ୍ୟରେ ହେବାକଥା। ମାତ୍ର ପ୍ରଥମ ପର୍ଯ୍ୟାୟରେ ଏହା ବଢ଼ି ୨୦୨୩ ମାର୍ଚ୍ଚରେ ଫଇସଲା ହେବାକୁ ଥିଲା। ହେଲେ ପରବର୍ତ୍ତୀ ପର୍ଯ୍ୟାୟରେ ରାଜ୍ୟ ସରକାରଙ୍କ ଅନୁରୋଧକ୍ରମେ ଜଳଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ଏହାର କାର୍ଯ୍ୟକାଳ ୨୦୨୬ ଏପ୍ରିଲ ୧୩ ଯାଏ ବଢ଼ାଯାଇଥିଲା । ଏବେ କାର୍ଯ୍ୟକାଳ ବଢ଼ିବା ପରେ ଟ୍ରିବ୍ୟୁନାଲଙ୍କ ପାଖରେ ସମସ୍ତ ପ୍ରମାଣ ଏବଂ ଯୁକ୍ତିକୁ ପରୀକ୍ଷା କରି ଚୂଡ଼ାନ୍ତ ନିଷ୍ପତ୍ତି ଶୁଣାଇବା ପାଇଁ ପର୍ଯ୍ୟାପ୍ତ ସମୟ ରହିଛି ।