( ରିପୋର୍ଟସ ଟୁଡ଼େ): ମାଗଣା ଚାଉଳ ବଣ୍ଟନ ଏବଂ ସେଭଳି ଅନ୍ୟାନ୍ୟ ସରକାରୀ ଯୋଜନା ତାମିଲନାଡୁ ଲୋକମାନଙ୍କୁ ଅଳସୁଆ କରି ପକାଇଥିବା ଫଳରେ ଉତ୍ତରପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରୁ ଶ୍ରମିକ ଆଣିବାକୁ ପଡୁଛି ବୋଲି ମାଡ୍ରାସ ହାଇକୋର୍ଟ କହିଛନ୍ତି।
ଆର୍ଥିକ ପଛୁଆବର୍ଗର ଲୋକମାନଙ୍କୁ ମାଗଣାରେ ଚାଉଳ ବଣ୍ଟନ କରିବା କଥାକୁ ବିରୋଧ କରୁ ନାହାନ୍ତି ସ୍ପଷ୍ଟ କରି ଜଷ୍ଟିସ୍ ଏନ୍ କିରୁବକରଣ ଏବଂ ଜଷ୍ଟିସ୍ ଅବ୍ଦୁଲ୍ କୁଦ୍ଦୋଶିଙ୍କ ଖଣ୍ଡପୀଠ ଏହି ଯୋଜନା ଆର୍ଥିକ ସ୍ତର ନିର୍ବିଶେଷରେ ସମସ୍ତଙ୍କୁ ଯୋଗାଇ ଦେବା ଅନୁଚିତ। ଚାଉଳ ଚୋରା ଚାଲାଣ ମାମଲାରେ ଜଣେ ଅଭିଯୁକ୍ତଙ୍କ ହେବିଅସ୍ କର୍ପସ୍ ଆବେଦନ ଶୁଣାଣି ସମୟରେ ଏ କଥା କହିଛନ୍ତି। ଆବେଦକଜଣକ ଚାଲେଞ୍ଜ କରିଥିଲେ ଗୁଣ୍ଡାସ୍ ଆକ୍ଟ୍ରେ ତାଙ୍କୁ ଅଟକ କରାଯାଇଛି।
ଅଦାଲତ କହିଥିଲେ କି, ଯଦି ଏହି ଯୋଜନା ଗରିବଙ୍କ ଛଡ଼ା ଅନ୍ୟ ଲୋକଙ୍କ ଉପକାର କରୁଛି, ଏହା ସର୍ବସାଧାରଣଙ୍କ ଅର୍ଥରେ ଅନ୍ୟାୟ ଭାବେ ଅନ୍ୟ ଲୋକମାନଙ୍କୁ ଧନୀ କରୁଛି। କେବଳ ଦାରିଦ୍ର୍ୟର ସୀମାରେଖା ତଳେ ଥିବା ପରିବାରଗୁଡ଼ିକୁ ମାଗଣା ଚାଉଳ ଦେବା ଉଚିତ। ବିପିଏଲ୍ ପରିବାରଗୁଡ଼ିକର ଠିକ୍ ଭାବେ ସର୍ବେକ୍ଷଣ କରାଯାଇଥିଲା କି, ନାହିଁ ତା’ର ଏକ ରିପୋର୍ଟ ଦାଖଲ କରିବାକୁ ତାମିଲନାଡୁ ସରକାରଙ୍କୁ କହିଛନ୍ତି ଖଣ୍ଡପୀଠ। ଯଦି କରାଯାଇଛି, ତେବେ ତାମିଲନାଡୁରେ କେତେ ପରିବାର ଦାରିଦ୍ର୍ୟ ସୀମାରେଖା ତଳେ ଅଛନ୍ତି? ଯଦି କେବଳ ସେମାନଙ୍କୁ ହିଁ ମାଗଣା ଚାଉଳ ବଣ୍ଟନ କରାଯାଏ ତେବେ କେତେ ପରିମାଣର ଚାଉଳ ଆବଶ୍ୟକ ଏବଂ ତାହାର ଅଟକଳ କେତେ?