ଟାଙ୍ଗୀ (ରାକେଶ ଜଗଦେବ) : ଓଡିଆ ମାନଙ୍କର ଗଣ ପରବ ରଜ ଉତ୍ସବ ପୂର୍ବରୁ ଖୋଲାଗଲା ମା ଉଗ୍ରତାରାଙ୍କର ଦାନ ହୁଣ୍ଡୀ । ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ମୂଳିଝର ଗଡ଼ ସ୍ଥିତ ମା ଉଗ୍ରତାରା ଦେବୀଙ୍କର ପୀଠ ରେ ଥିବା ଦାନ ହୁଣ୍ଡୀ ପ୍ରଶାସନ ପକ୍ଷରୁ ଖୋଲା ଯାଇ ଗଣତି କରାଯାଇଛି । ମନ୍ଦିର ପ୍ରଶାସନର ମୁଖ୍ୟ ଟାଙ୍ଗୀ ତହସିଲଦାର ନିଷ୍ଠା ମହାପାତ୍ରଙ୍କ ଉପସ୍ଥିତରେ ଖୋଲା ଯାଇଥିଲା ଦାନ ହୁଣ୍ଡୀ । ମା ଉଗ୍ରତାରା ଦେବୀଙ୍କ ଠାରୁ ଆଜ୍ଞାମାଳ ଆସିବା ପରେ ହୁଣ୍ଡୀ ଖୋଲା ଯାଇଥିଲା । ହୁଣ୍ଡୀ ଖୋଲା ଯିବା ପରେ ମନ୍ଦିର ପ୍ରଶାସନିକ କାର୍ୟ୍ୟାଳୟ ମଧ୍ୟରେ ଗଣତି କାର୍ୟ୍ୟ ଆରମ୍ଭ ହୋଇଥିଲା । ହୁଣ୍ଡୀ ଗଣତି କାର୍ୟ୍ୟର ସ୍ଵଛତା ପାଇଁ ସିସିଟିଭି ର ମିନିଟରିଂ ମଧ୍ୟରେ ଗଣତି କାର୍ୟ୍ୟ କରାଯାଇଥିଲା । ଏହି କାର୍ୟ୍ୟକ୍ରମରେ ମନ୍ଦିର କମିଟି ସଦସ୍ୟ କୁମର ପାତ୍ର, ସୁବ୍ରତ ସାମନ୍ତରାୟ, ରାଜସ୍ୱ ନିରୀକ୍ଷକ କୈଳାସ ଦଳାଇ, ପୁର୍ଣିମା ହରି ଚନ୍ଦନ, ବ୍ଲକ କର୍ମଚାରୀ ନିତ୍ୟାନନ୍ଦ ବେହେରା, ଭୂଷଣ୍ଡ ପୁର ଫାଣ୍ଡି ଅଧିକାରୀ ସବ ଇନ୍ସପେକ୍ଟର ବିଶ୍ୱ ରଂଜନ ଦାଶଙ୍କ ସହ ମହିଳା ସ୍ୱୟଂ ସହାୟକ ଦଳର କର୍ମକର୍ତ୍ତା ମାନେ ଏଥିରେ ସହଯୋଗ କରିଥିଲେ । ଆଜିର ଗଣତି ପରେ ମୋଟ ୪ ଲକ୍ଷ ୮୨ ହଜାର ୨୯୦ ଟଙ୍କା ଆୟ ହୋଇଥିବା ଜଣା ପଡିଛି । ଏହା ସହ ଭକ୍ତ ମାନଙ୍କ ଠାରୁ ୫ ଟି ରୌପ୍ୟ ମୁଦ୍ରା ମିଳିଥିବା ଜଣା ପଡିଛି । ଦାନ ହୁଣ୍ଡୀରୁ ଆୟ ହୋଇଥିବା ଅର୍ଥ ରାଶି ମନ୍ଦିର କମିଟିର ଜମାଖାତା ସିଙ୍ଗିପୁର ବ୍ୟାଙ୍କ ଅଫ ଇଣ୍ଡିଆ ଖାତାରେ ଜମା କରାଯିବ ବୋଲି ତହସିଲ ପ୍ରସାସନ ସୂଚନା ଦେଇଛି ।