ପୁରୀ: ୭ ତାରିଖ ରବିବାର ଚନ୍ଦ୍ରଗ୍ରହଣ ନେଇ ନୀତି ନିର୍ଘଣ୍ଟ । ଛତିଶା ନିଯୋଗ ବୈଠକରେ ହେଲା ନୀତି ନିର୍ଘଣ୍ଟ । ରବିବାର ଦିନ ୧୨ଟା ୫୭ରୁ ପାକ ତ୍ୟାଗ, ଦେବ ନୀତି ନିଷେଧ । ଗ୍ରହଣ ସ୍ପର୍ଶ ରାତି ୯ଟା ୫୭, ସର୍ବମୋକ୍ଷ ରାତି ୧ଟା ୨୭ । ସର୍ବମୋକ୍ଷ ପରେ ରାତି ୨ଟାରେ ଦ୍ବାରଫିଟା ନୀତି ସମ୍ପର୍ଣ୍ଣ ହେବ । ଗ୍ରହଣ ସ୍ପର୍ଶ ପରେ ଗ୍ରହଣ ମହାସ୍ନାନ କରାଯାଇ ଅନ୍ୟାନ୍ୟ ନୀତି ଅନୁଷ୍ଠିତ ହେବ । ବୈଠକ ପରେ ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଏ ନେଇ ସୂଚନା ଦେଇଛନ୍ତି । ତେବେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଆଜି ଛତିଶା ନିଯୋଗ ବୈଠକ ବସିଥିଲା । ବୈଠକରେ ସାମିଲ୍ ହୋଇଥିଲେ ଏସ୍ପି, ଛତିଶା ନିଯୋଗ ମହାନାୟକ, ସେବକ ପ୍ରତିନିଧି, ପ୍ରଶାସନିକ ଅଧିକାରୀ । ୭ ତାରିଖ ଚନ୍ଦ୍ରଗ୍ରହଣ ନୀତିନିର୍ଘଣ୍ଟ ନେଇ ହୋଇଥିଲା ଆଲୋଚନା ।
ସେହିପରି ବୈଠକରେ ଧାଡ଼ି ଦର୍ଶନ ନେଇ ମଧ୍ୟ ଆଲୋଚନା ହୋଇଛି । ପରୀକ୍ଷାମୂଳକ ଭାବେ ପ୍ରଥମେ ଧାଡ଼ି ଦର୍ଶନ ହେବ । ଆସନ୍ତାକାଲି ପରିଚାଳନା କମିଟି ବୈଠକରେ ଏନେଇ ବିସ୍ତୃତ ଆଲୋଚନା କରାଯିବ । ଅନ୍ୟପଟେ ମହାପ୍ରଭୁଙ୍କ ପୂଜା ଓ ଦର୍ଶନ ନାଁରେ ଅନଲାଇନରେ ଫେକ୍ ଓ୍ବେବସାଇଟ ଖୋଲିଥିବା ସଂସ୍ଥା ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏନେଇ ପୋଲିସ ସହ ଆଲୋଚନା କରାଯାଇଛି । ଏ ନେଇ ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ସୂଚନା ଦେଇଛନ୍ତି ।