ସାରା ରାଜ୍ୟରେ ପ୍ରବଳ ବର୍ଷିବ, ୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ଵର: ଉତ୍ତର ଓଡ଼ିଶା ଏବଂ ଏହାର ସଂଲଗ୍ନ ପଶ୍ଚିମବଙ୍ଗ-ଉତ୍ତର ବଙ୍ଗୋପସାଗର ନିକଟରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଫଳରେ ୫ ଜୁଲାଇ ଯାଏଁ ରାଜ୍ୟରେ ବିଭିନ୍ନ ଜିଲ୍ଲାଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଏବଂ ବଜ୍ରପାତ ସହ ଘଡ଼ଘଡ଼ି ବର୍ଷାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ପଶ୍ଚିମ ଓଡିଶା, ଉତ୍ତର ଓଡ଼ିଶା ଓ ଛତିଶଗଡ଼ରେ ବର୍ଷା ବଢ଼ିବ । ସମ୍ଭାବ୍ୟ ଲଘୁଚାପ ଯୋଗୁଁ  ମହାନଦୀ ଓ ବ୍ରାହ୍ମଣୀ ବେସିନରେ ବର୍ଷା ହେବ । ଛତିଶଗଡ଼ ଉପର ମୁଣ୍ଡରେ ବର୍ଷା ହେଲେ ମହାନଦୀ ଫୁଲିବାର ସମ୍ଭାବନା ଅଛି । ଛତିଶଗଡ଼ ପାଣି ଛାଡ଼ିଲେ ହୀରାକୁଦ ଦେଇ ତଳମୁଣ୍ଡରେ ଜଳସ୍ତର ବଢ଼ିବା ସହ ବନ୍ୟା ଆସିବାର ଆଶଙ୍କା ରହିଛି ।

ଆଜି ପାଇଁ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜରେ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଦେଇଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର । ସେହିପରି ୬ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି । ଢେଙ୍କାନାଳ, ଅନୁଗୁଳ, ଦେବଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସମୁଦ୍ର ନଯିବା ପାଇଁ ମତ୍ସ୍ୟଜୀବୀ ମାନଙ୍କୁ ମଧ୍ୟ ସତର୍କ ସୂଚନା ଜାରି କରାଯାଇଛି ।

ଅନ୍ୟପଟେ ବିପଦ ସଙ୍କେତ ଉପରେ ରହିଛି ସୁବର୍ଣ୍ଣରେଖା । ଆଜି ସକାଳ ୬ଟା ସୁଦ୍ଧା ସୁବର୍ଣ୍ଣରେଖା ଜଳସ୍ତର ୧୦.୩୯ ମିଟର୍ ପ୍ରବାହିତ ହେଉଛି । ଭୋଗରାଇ ବ୍ଳକର ୧୫ଟି ପଞ୍ଚାୟତର ୩୦ ଗାଁ ଜଳବନ୍ଦୀ ହୋଇଛି । ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି ବିଭିନ୍ନ ଗାଁ ।ଗତ କିଛି ଦିନ ହେଲା ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିଛି ପ୍ରବଳ ବର୍ଷା । ତେବେ ସକ୍ରିୟ ଲଘୁଚାପ ପ୍ରଭାବରେ ୫ ତାରିଖ ଯାଏଁ ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ ।