(ରିପୋର୍ଟରସ୍ ଟୁଡେ) ଭୁବନେଶ୍ୱର: ଯୁଦ୍ଧ ଉପକରଣ ଦ୍ୱାରା ଦୁର୍ଘଟଣା ମାତ୍ରା ବଢିବାକୁ ନେଇ ଭାରତୀୟ ସେନା ଚିନ୍ତାପ୍ରକଟ କରିଛି । ଦୁର୍ଘଟଣାର ମୁଖ୍ୟ କାରଣ ହେଉଛି ନିମ୍ନମାନର ଯୁଦ୍ଧାସ୍ତ୍ର । ବଡ କଥା ହେଉଛି ଏହି ସବୁ ଅସ୍ତ୍ରଶସ୍ତ୍ରକୁ ଅର୍ଡିନାନ୍ସ ଫ୍ୟାକ୍ଟ୍ରି ବୋର୍ଡ ପ୍ରସ୍ତୁତ କରିଥାଏ । ଏହି ବୋର୍ଡ ଭାରତ ସରକାରଙ୍କ ଅଧୀନରେ କାର୍ୟ୍ୟ କରୁଛି ।
ନିମ୍ନମାନର ଯୁଦ୍ଧାସ୍ତ୍ରକୁ ନେଇ ସେନା ପ୍ରତିରକ୍ଷା ମନ୍ତ୍ରାଳୟ ସହ ଆଲୋଚନା କରିଛି । ସେନା ପକ୍ଷରୁ କୁହାଯାଇଛି ଯେ ମାନ କମୁଥିବାରୁ ଦୁର୍ଘଟଣା ଘଟି ବହୁ ଯବାନଙ୍କ ଜୀବନ ନଷ୍ଟ ହେଉଛି । ଏସବୁ ପରେ ସେନାର ନିଜସ୍ୱ ଗୋଳାବାରୁଦ ଉପରେ ଭରସା କମୁଥିବାର ଦେଖିବାକୁ ମିଳୁଛି । ବର୍ଷକୁ ପାଖାପାଖି ୧୯ ହଜାର କୋଟି ଟଙ୍କାର କାରବାର ହେଉଥିବା ଏହି ବୋର୍ଡର ସାରା ଦେଶରେ ୪୧ଟି କାରଖାନା ରହିଛି । ଭାରତୀୟ ସେନାରେ ଥିବା ୧୨ ଲକ୍ଷ ସୈନିକଙ୍କ ପାଇଁ ଆବଶ୍ୟକୀୟ ଅସ୍ତ୍ରଶସ୍ତ୍ର ଦେବାରେ ଏହା ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ତେବେ ଏବେ ମାନ କମିଥିବାର ସେନା ପରିଲକ୍ଷିତ କରିଛି ।
ସେନା ପକ୍ଷରୁ ପ୍ରତିରକ୍ଷା ମନ୍ତ୍ରାଳୟରେ କିଛି ସ୍ୱତନ୍ତ୍ର ପ୍ରସଙ୍ଗକୁ ଉଠାଯାଇଛି । ଏଥିରେ କୁହାଯାଇଛି ଯେ ୧୦୫ ଏମଏମ ଇଣ୍ଡିଆନ ଫିଲଡ ଗନ,୧୦୫ ଏମଏମ ଲାଇଟ ଫିଲଡ ଗନ, ୧୩୦ ଏମଏମ ଏମଏ୧ ମିଡିୟମ ଗନ,୪୦ ଏମଏମଏଲ-୭୦ ଏୟାର ଡିଫେନ୍ସ ଗନରେ ଅଧିକ ଦୁର୍ଘଟଣା ସାମ୍ନାକୁ ଆସୁଛି । ସେହିପରି ଟି-୭୨,ଟି-୯୦ ଓ ଅର୍ଜୁନ ଟ୍ୟାଙ୍କରେ ନିୟମିତ ଦୁର୍ଘଟଣା ଘଟୁଛି । ଚର୍ଚ୍ଚା ହେଉଛି ଯେ ଅର୍ଡିନାନ୍ସ ଫ୍ୟାକ୍ଟ୍ରି ବୋର୍ଡ ଏ ସମସ୍ୟାକୁ ସମାଧାନ କରିବାରେ ଗୁରୁତ୍ୱ ଦେଉ ନାହିଁ । ତେଣୁ କିଛି ରେଞ୍ଜରେ ସେନା ଗୋଳାବାରୁଦ ଫାୟାରିଂ କରିବା ବନ୍ଦ କରିଦେଇଛି ।