ବ୍ୟୁରୋ : ମାତା ସୀତାଙ୍କ ଖୋଜିବାକୁ ବାହାରିବା ସମୟରେ ବାନର ସେନା ଆଗରେ ୧୦୦ ଯୋଜନର ସମୁଦ୍ର ବାଧା ହୋଇ ଛିଡ଼ା ହେଲା । ସମୁଦ୍ର ଲଂଘନ କରିବାର ଥିଲା । ସମସ୍ତ ବାନର କହିଲେ ଆମେ ୩୦ ଯୋଜନ, ଅତିବେଶୀରେ ୫୦ ଯୋଜନ ପର୍ଯ୍ୟନ୍ତ ଡେଇଁ ପାରିବୁ, ତା’ଠୁ ଆଗକୁ ନୁହେଁ । ଋକ୍ଷରାଜ ଜାମ୍ବବନ୍ତ କହିଲେ, ମୋର ଡେଇଁବା କ୍ଷମତା ଅତି ବେଶୀରେ ୬୦ ଯୋଜନ କିନ୍ତୁ ତା’ଠୁ ଆଗକୁ ଯିବା ମୋ ପକ୍ଷେ ଅସମ୍ଭବ । ସମସ୍ତଙ୍କ କଥା ଶୁଣି ଅଙ୍ଗଦ କହିଲେ, ମୁଁ ବୋଧହୁଏ ୧୦୦ ଯୋଜନର ସମୁଦ୍ର ପାର ହୋଇ ଯାଇପାରିବି, କିନ୍ତୁ ଫେରିପାରିବି କି ନାହିଁ ସନ୍ଦେହ ।
ସେପର୍ଯ୍ୟନ୍ତ ନିରବ ହୋଇ ରହିଥାନ୍ତି ବୀର ହନୁମାନ । କାରଣ ଅଭିଶାପର ଫଳ ଯୋଗୁ ନିଜ ବଳ ଓ କ୍ଷମତା ସମ୍ପର୍କରେ ସେ ଭୁଲି ଯାଇଥାନ୍ତି । ଏହି ସମୟରେ ଜାମ୍ବବନ୍ତଙ୍କ ନଜର ବଜରଙ୍ଗବଲୀଙ୍କ ଉପରେ ପଡ଼ିଲା । ସେ ଭାବିଲେ, କେବଳ ହନୁମାନ ହିଁ ୧୦୦ ଯୋଜନ ସମୁଦ୍ର ଲଙ୍ଘନ କରି ଲଙ୍କାପୁରୀରେ ପହଞ୍ଚି ପାରିବେ ଏବଂ ମାତା ସୀତାଙ୍କୁ ଖୋଜି ଆଣିପାରିବେ । ସେ ହନୁମାନଙ୍କୁ ତାଙ୍କ ବଳ ବିଷୟରେ ସ୍ମରଣ କରାଇ ଦେଲେ । ମହାବଳୀ ହନୁମାନ ବିଶାଳକାୟ ସ୍ୱରୂପ ଧାରଣ କରି ସମୁଦ୍ର ଲଙ୍ଘନ ନିମନ୍ତେ ପର୍ବତ ଉପରୁ ଆକାଶ ମାର୍ଗକୁ ଲମ୍ଫ ପ୍ରଦାନ କଲେ । ଲଙ୍କାରେ ପହଞ୍ଚି ଅଶୋକ ବାଟିକାରେ ମାତା ସୀତାଙ୍କୁ ଠାବ କଲେ ।