ଶ୍ରୀମନ୍ଦିରରେ ବଡ଼ଠାକୁର ଧାରଣ କଲେ ହରିହର ବେଶ

ପୁରୀ:- ସୋମବାର ଶ୍ରୀମନ୍ଦିରରେ ବଡ଼ଠାକୁରଙ୍କ ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହୋଇଛି । ଅବକାଶ ନୀତି ପରେ ବଡ଼ଠାକୁରଙ୍କୁ ହରିହର ବେଶରେ ସଜିତ କରାଯିବ । ବଡ଼ଠାକୁରଙ୍କୁ ହର ବା ଶିବ ବୋଲି ବିବେଚନା କରାଯାଏ । ଏହି ବେଶରେ ହରି (ବିଷ୍ଣୁ) ଓ ହର (ଶିବ)ଙ୍କ ଆତ୍ମୀୟତା ପ୍ରସ୍ଫୁଟିତ ହେବ । ବଳଭଦ୍ରଙ୍କ ବାମପାର୍ଶ୍ୱକୁ କଳା ଓ ଡାହାଣ ପାର୍ଶ୍ୱକୁ ଧଳା ରଙ୍ଗର ବସ୍ତ୍ରରେ ସଜ୍ଜିତ କରାଯାଇଥାଏ । ମହାପ୍ରଭୁ ଶ୍ରୀଜଗନ୍ନାଥ ରାଧାଦାମୋଦର ବେଶ ଓ ପ୍ରଭୁ ବଳଭଦ୍ର ହରିହର ବେଶରେ ଭକ୍ତଙ୍କୁ ଦର୍ଶନ ଦିଅନ୍ତି । ଏହି ବେଶରେ ବଡ଼ଠାକୁର ଅର୍ଦ୍ଧେକ ଧଳା ଓ ଅର୍ଦ୍ଧେକ କଳା ଦିଶିବା ସହ ୩୨ ପ୍ରକାର ସୁବର୍ଣ୍ଣ ଅଳଙ୍କାର ପରିଧାନ କରିବେ । ଶାସ୍ତ୍ରରେ ମଧ୍ୟ ହରି ଓ ହର ଅଭିନ୍ନ ବୋଲି ପ୍ରମାଣ ରହିଛି ।

Harihara Besha' Of Bada Thakura Today - Report Odisha

କାର୍ତ୍ତିକ ମାସର ଦୀପାବଳି ଅମାବାସ୍ୟା ପର ଠାରୁ ଶୁକ୍ଳ ଦଶମୀ ମଧ୍ୟରେ ଯେଉଁଦିନ ସୋମବାର ପଡେ ସେହିଦିନ ରତ୍ନ ସିଂହାସନରେ ଅଧିଷ୍ଠିତ ବଡ଼ଠାକୁରଙ୍କ ବାଡ଼ରେ ହରିହର ବେଶ ହେବାର ବିଧି ରହିଛି । ଚଳିତବର୍ଷ ଦୀପାବଳି ଅମାବାସ୍ୟା ପରେ ଓ ଶୁକ୍ଳ ଦଶମୀ ମଧ୍ୟରେ ସୋମବାର ପଡୁଥିବାରୁ ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅବକାଶ ନୀତି ପରେ ବଡ଼ଠାକୁରଙ୍କୁ ହରିହର ବେଶ ସଜିତ କରାଯିବ । ପୁଷ୍ପାଳକ ସେବକମାନେ ବଡ଼ଠାକୁରଙ୍କୁ ହରିହର ବେଶରେ ଏବଂ କାର୍ତ୍ତିକ ମାସ ଚାଲିଥିବାରୁ ଶ୍ରୀଜଗନ୍ନାଥଙ୍କୁ ରାଧାଦାମୋଦର ବେଶରେ ସଜ୍ଜିତ କରିବେ । ଶ୍ରୀମନ୍ଦିରରେ ବଡ଼ଠାକୁରଙ୍କ ହରିହର ବେଶ ସାଙ୍ଗକୁ ଶ୍ରୀଜଗନ୍ନାଥଙ୍କ ରାଧାଦାମୋଦର ବେଶ ଦେଖି ଭକ୍ତ ଆତ୍ମତୃପି ଲାଭ କରିବେ ।