ବିହାରରୁ ଆସି ଓଡ଼ିଶାରେ ଲୁଟ୍: ଫେରାର କଏଦୀ ରାଜା ସାହାଣୀଙ୍କ ଗ୍ୟାଙ୍ଗର ଗୁମର ଖୋଲିଲା ପୋଲିସ

ଭୁବନେଶ୍ୱର: ବିହାରରୁ ଆସି ଓଡ଼ିଶାରେ ଗହଣା ଦୋକାନକୁ ଟାର୍ଗେଟ୍ କରି ଲୁଟ୍ କରୁଥିବା ଏକ ବଡ଼ ଗ୍ୟାଙ୍ଗର ଗୁମର ଖୋଲିଛି କମିଶନରେଟ୍ ପୋଲିସ। ଏହି ଗ୍ୟାଙ୍ଗରେ ଫେରାର କଏଦୀ ରାଜା ସାହାଣୀ ଓ ମଧୁକାନ୍ତ ରାଣା ସକ୍ରିୟ ଥିବା ସୂଚନା ମିଳିଛି। ପୋଲିସ କମିଶନର ଏସ୍‌. ଦେବଦତ୍ତ ସିଂ ସାମ୍ବାଦିକ ସମ୍ମିଳନୀରେ ଏହା ସୂଚନା ଦେଇଛନ୍ତି।

ପୋଲିସ ସୂଚନା ଅନୁସାରେ, ଏହି ଗ୍ୟାଙ୍ଗ ସାଧାରଣତଃ ନିର୍ଜନ ଓ ନିକାଞ୍ଚନ ସ୍ଥାନରେ ଥିବା ସୁନା ଦୋକାନକୁ ଟାର୍ଗେଟ୍ କରୁଥିଲେ। ପ୍ରଥମେ ସେମାନେ ରେକି କରି ଦୋକାନର ସମସ୍ତ ତଥ୍ୟ ସଂଗ୍ରହ କରୁଥିଲେ, ଯଥା—କର୍ମଚାରୀ ସଂଖ୍ୟା, ବ୍ୟବସାୟ ପ୍ରକ୍ରିୟା, ଦୋକାନ ଖୋଲା-ବନ୍ଦ ସମୟ ଓ ସୁନା ଆଣା-ନେବା ସମୟ। ପରେ ଯୋଜନାମୂଳକ ଭାବେ ଲୁଟ୍ କରି ଖସିଯାଉଥିଲେ।

ରାଜା ସାହାଣୀ ଅକ୍ଟୋବର ମାସରେ ଚୌଦ୍ୱାର ଜେଲରୁ ଫେରାର ହୋଇଥିଲେ। ତାଙ୍କୁ ଧରିବା ପାଇଁ କମିଶନରେଟ୍ ପୋଲିସ ଏକ ବିଶେଷ ଟିମ୍ ଗଠନ କରିଥିଲା। ସିସିଟିଭି ଫୁଟେଜ ଆଧାରରେ ତାଙ୍କର ଗତିବିଧି ଟ୍ରାକ୍ କରାଯାଇଥିଲା। ପରେ ଉତ୍ତରାଖଣ୍ଡରୁ ତାଙ୍କୁ ଗିରଫ କରି ଟ୍ରାଞ୍ଜିଟ୍ ରିମାଣ୍ଡରେ ଓଡ଼ିଶାକୁ ଆଣାଯାଇଛି।

ତଦନ୍ତରେ ଜଣାପଡ଼ିଛି ଯେ, ରାଜା ସାହାଣୀ ବିଭିନ୍ନ ରାଜ୍ୟରେ ଆତ୍ମଗୋପନ କରି ଚୋରି ଘଟଣାରେ ଜଡିତ ଥିଲେ। ଡିସେମ୍ବରରେ କର୍ଣ୍ଣାଟକର ମହିଶୂରରେ ଏକ ଚୋରି ଘଟଣା ଘଟାଇଥିବାବେଳେ, ଆନ୍ଧ୍ରପ୍ରଦେଶର ବିଶାଖାପଟ୍ଟଣମରେ ମଧ୍ୟ ଚୋରି ଉଦ୍ୟମ କରିଥିଲେ। ତାଙ୍କ ନାମରେ ମୋଟ ୨୮ଟି ଅପରାଧିକ ମାମଲା ରହିଛି।

ପୋଲିସ ତଦନ୍ତରୁ ଆଉ ମଧ୍ୟ ଚମତ୍କାରକ ତଥ୍ୟ ସାମ୍ନାକୁ ଆସିଛି। ଏହି ଲୁଟ୍ ଚକ୍ରରେ ପ୍ରାୟ ୨୦୦୦ ଜଣ ଜଡିତ ଥିବାବେଳେ, ଏହାର ମାଷ୍ଟରମାଇଣ୍ଡ ନେପାଳରେ ବସି ସମସ୍ତ କାର୍ଯ୍ୟକଳାପ ଚାଳାଉଛି। ଗ୍ୟାଙ୍ଗରେ ଟେକ୍ନିକାଲ ଏକ୍ସପର୍ଟମାନେ ମଧ୍ୟ ଥିଲେ, ଯେଉଁମାନେ ଲୁଟ୍ ସମୟରେ ଜାମର୍ ବ୍ୟବହାର କରି ପୋଲିସ ଟ୍ରାକିଂକୁ ବାଧା ଦେଉଥିଲେ।

ଆଜି ରାଜା ସାହାଣୀଙ୍କୁ କୋର୍ଟରେ ହାଜର କରାଯିବ। ପରେ ତାଙ୍କୁ ପୋଲିସ ରିମାଣ୍ଡରେ ନେବା ପାଇଁ କୋର୍ଟରେ ଆବେଦନ କରାଯିବ ବୋଲି ସୂଚନା ମିଳିଛି।