ଫେରିବାଲାଙ୍କୁ ଭୂଜାଲିରେ ହାଣି ଲୁଟ, ଜଣେ ଗିରଫ

ଅନୁଗୁଳ (ଜ୍ୟୋତିରଞ୍ଜନ ଧର): ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା କଇଁଛପଦା ଗ୍ରାମ ନିକଟରେ ଜଣେ ଫେରିବାଲାଙ୍କୁ କିଛି ଦୁର୍ବୃତ୍ତ ଭୁଜାଲିରେ ହାଣି ଲୁଟପାଟ କରିଥିଲେ । ଏହି ଘଟଣାରେ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି ଛେଣ୍ଡିପଦା ପୋଲିସ । ୱେଷ୍ଟବେଙ୍ଗଲ ପୂର୍ବ ମେଦିନିପୁର ଥାନା ଭଗବାନପୁର ଗ୍ରାମର ମୋତିଲାଲ ଜେନା ଏହି ଗ୍ରାମକୁ ଗତ ରବିବାର ବେପାର ଉଦ୍ଦେଶ୍ୟରେ ଯାଇଥିଲେ । ତେବେ ଗାଁ ମୁଣ୍ଡରେ ଦୁଇ ଜଣ ଦୁର୍ବୃତ୍ତ ମୋଟର ସାଇକେଲରେ ଆସି ତାଙ୍କୁ ଅତର୍କିତ ଭୁଜାଲିରେ ହାଣି ୧୫୦୦ ଟଙ୍କା ଓ ମୋବାଇଲ ଲୁଟିନେଇସହ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ।
ଏହାପରେ ସ୍ଥାନୀୟ ଲୋକେ ଗୁରୁତର ଫେରିବାଲାଙ୍କୁ ଉଦ୍ଧାର କରି ଛେଣ୍ଡିପଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ଏ ନେଇ ମୋତିଲାଲ ଛେଣ୍ଡିପଦା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଥାନା ଅଧିକାରୀ ଧୀରେନ କୁମାର ବେହେରା କେସ ନଂ ୩୧୭/୨୧ରେ ଏକ ମାମଲା ରୁଜୁ କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଥିଲେ । ତଦନ୍ତ ଅନୁସାରେ ପୋଲିସ ଗୋଳାଗାଡିଆ ଗାଁର ଦୀଲିପ ନାଏକଙ୍କ ପୁଅ ସୁନିଲ ନାଏକ (୨୬)କୁ ଗିରଫ କରିବା ସହିତ ଲୁଟବେଳେ ବ୍ୟବହୃ ମୋଟର ସାଇକେଲ ଓ ଭୁଜାଲିକୁ ଜବତ କରିଛି । ତେବେ ଏହି ଘଟଣାରେ ସମ୍ପୃକ୍ତ ଅନ୍ୟ ଜଣେ ଦୁର୍ବୃତ୍ତ ଫେରାର ଅଛି । ସୁନିଲକୁ ଜେରା ପରେ ମଙ୍ଗଳବାର ଅପରାହ୍ନରେ କୋର୍ଟ ଚାଲାଣ କରାଯାଇଛି ଥିବା ବେଳେ ଫେରାର ଥିବା ଦୁର୍ବୃତକୁ ଧରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରୀ ରଖିଥିବା ଥାନା ଆଇଆଇସି ସୂଚନା ଦେଇଛନ୍ତି ।