ଭୁବନେଶ୍ୱର/ ରାଜେଶ ସାହୁ: ଯାଜପୁରର ସୂଚନାଧିକାର କର୍ମୀ ସର୍ବେଶ୍ୱର ବେହୁରାଙ୍କୁ ଜୀବନରେ ମାରିଦେବା ପାଇଁ ହୋଇଥିବା ବୋମାମାଡ଼ ଘଟଣାରେ ଲୋକାୟୁକ୍ତ ପୁଲିସ ମହାନିର୍ଦ୍ଦେଶକ, ଗୃହ ସଚିବ, ଯାଜପୁର ଏସପି ଙ୍କୁ ଜବାବ ତଲବ କରିଛନ୍ତି । ଏହି ଘଟଣାର ପରବର୍ତ୍ତୀ ଶୁଣାଣି ଆସନ୍ତା ୪ ତାରିଖରେ ଧାର୍ଯ୍ୟ କରିଛନ୍ତି ।
ସୂଚନାଧିକାର କର୍ମୀ ସର୍ବେଶ୍ୱର ବେହୁରାଙ୍କ ଉପରେ ବୋମା ମାଡ ହୋଇଥିଲା । କୁହାଯାଉଛି ସେ ଯାଜପୁରରୁ ଖଣି ଚୋରିକୁ ନେଇ କିଛି ଦିନ ପୂର୍ବରୁ ଆରଟିଆଇ ତଥ୍ୟକୁ ସାର୍ବଜନୀନ କରିଥିଲେ । ଏହା ପରେ ତାଙ୍କ ଉପରେ ବୋମା ମାଡ ହୋଇଥିଲା । ବୋମାମାଡ ପରେ ତାଙ୍କ ପତ୍ନୀ ରିଲୁ ବେହୁରା ଥାନାରେ ଏକ ଏଫଆଇଆର ଦେଇଥିଲେ । କିନ୍ତୁ ପୁଲିସ ସେହି ଅଭିଯୋଗକୁ ପଞ୍ଜିକୃତ ନ କରି ଓଲଟା ଅପରାଧିଙ୍କୁ ସୁରକ୍ଷା ଦେବା ସହ ଘଟଣାର ମୁଖ୍ୟ ଷଡଯନ୍ତ୍ରକାରୀ କୁହାଯାଉଥିବା ପ୍ରଣବ ବଳବନ୍ତରାୟ ଓ ଖଣି ମାଫିଆଙ୍କୁ ତଦନ୍ତ ପରିସରଭୁକ୍ତ କରି ନ ଥିବା ଅଭିଯୋଗ ହୋଇଥିଲା । ଏହାକୁ ନେଇ ସୂଚନା ଅଧିକାର କର୍ମୀ ଲୋକାୟୁକ୍ତଙ୍କ ନିକଟରେ ପୁଲିସ ମହାନିର୍ଦ୍ଦେଶକଙ୍କ ଦ୍ୱାରା ପୂର୍ଣ୍ଣାଙ୍ଗ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେବାକୁ ଅପିଲ କରିଥିଲେ ।
ସୂଚନାଯୋଗ୍ୟ, ପୋଲିସ ତିନି ଜଣ ଅପରାଧୀଙ୍କୁ ଗିରଫ କରିଥିଲାବେଳେ , ଏହି ବୋମାମାଡ଼ ଘଟଣାର ଷଡ଼ଯନ୍ତ୍ର ପଛରେ ଥିବା ମାଫିଆମାନଙ୍କୁ ଆରେଷ୍ଟ ନକରି ପୋଲିସ ଘଣ୍ଟଘୋଡାଉଥିବା ଲଗାତର ଅଭିଯୋଗ ହୋଇ ଆସୁଛି ।